ମୁମ୍ବାଇ: ହୃଦଘାତର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହା ଯୁବପିଢ଼ିଙ୍କ ମଧ୍ୟରେ ଅଧିକ ହେଉଥିବା ଦେଖିବାକୁ ମିଳୁଛି । କରୋନା ଭାଇରସ ପରଠାରୁ ଲୋକଙ୍କଠାରେ ହୃଦଘାତର ସମସ୍ୟା ବୃଦ୍ଧି ପାଇଛି । ନାଚିବା ଖେଳିବା ସମୟରେ ଲୋକମାନେ ହଠାତ୍ ଏହି ସମସ୍ୟାର ସାମ୍ନା କରୁଛନ୍ତି । ସେପଟେ ହାଇଦ୍ରାବାଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ସ୍କୁଲ ଛାତ୍ର ହୃଦଘାତରେ ମୃତ୍ୟୁ ବରଣ କରିଥିଲେ ।
ଅସୀଫାବାଦ ଗାଁର ଦଶମ ଶ୍ରେଣୀର ଛାତ୍ର ସଚିନ ତାଙ୍କ ଜନ୍ମଦିନ ପାଇଁ ବଜାରକୁ ସପିଂ କରିବାକୁ ଯାଇଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତଳେ ପଡ଼ିଯାଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ହେଲେ, ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ସଚିନଙ୍କୁ ମାତ୍ର ୧୬ ବର୍ଷ ହୋଇଥିବା ବେଳେ ସବୁଠାରୁ କଷ୍ଟଦାୟକ କଥା ହେଉଛି ସେହି ଦିନ ତାଙ୍କ ଜନ୍ମଦିନ ଥିଲା । ଏହି ଘଟଣା ପାଇଁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ସଚିନଙ୍କ ମୃତ ଦେହକୁ ପରିବାର ଲୋକେ ଘରକୁ ଆଣି ଶ୍ରଦ୍ଧାଞ୍ଜଳି ରୂପରେ ଶବ ନିକଟରେ ଜନ୍ମଦିନର କେକ୍ କାଟିଥିଲେ । ପିତାମାତା ପୁଅର ମୃତ ଶରୀରକୁ ଆଲିଙ୍ଗନ କରି କାନ୍ଦିଥିଲ ।