ରାଜ୍ୟସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଓଡ଼ିଶାରେ ଦୀର୍ଘ ୨୨ ବର୍ଷ ଧରି ଥିବା ଗୋଟିଏ ସରକାର ଲମ୍ବା ସମୟ ପର୍ଯ୍ୟନ୍ତ ଲୋକମାନଙ୍କୁ ଭ୍ରମିତ କରି ରଖିପାରିବେ ନାହିଁ । ଜିଲ୍ଲାପାଳଙ୍କ ଠାରୁ ରାଜ୍ୟ ସରକାର ମରୁଡି ରିପୋର୍ଟ ପାଇବାର ଅନେକ ଦିନ ପରେ ମଧ୍ୟ ପ୍ରଭାବିତ ଅଞ୍ଚଳକୁ କେବେ ମରୁଡି ଘୋଷଣା କରାଗଲା ? ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓଡ଼ିଶାର ଚାଷୀ ମାନଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଫସଲ ବୀମାରୁ ବଞ୍ଚିତ କରାଯାଇଥିଲା । ଓଡ଼ିଶା ବିଶେଷ ଭାବେ ବରଗଡ ଜିଲ୍ଲାର ପଦ୍ମପୁରର କେତେ ଚାଷୀ ଓ କେଉଁ ଚାଷୀଙ୍କୁ ଇନପୁଟ୍ ସବସିଡି ଦିଆଗଲା, ଏହାର ତଥ୍ୟ ପ୍ରକାଶ ନ କରି ରାଜ୍ୟ ସରକାର ସୁଆଙ୍ଗ ରଚୁଛନ୍ତି ।

ରେଳ ଲାଇନ ସମ୍ପର୍କରେ କେନ୍ଦ୍ର ରେଳ ମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟର ଭୂମିକା ଉପରେ ସବୁ ପ୍ରଶ୍ନର ଉତ୍ତର ସ୍ପଷ୍ଟ ଭାବେ ଦେଇସାରିଛନ୍ତି । ବରଗଡ଼ ତଥା ପଦ୍ମପୁରରେ ଧାନ କିଣା ବଡ ପ୍ରସଙ୍ଗ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଠାରୁ ଧାନ କିଣାନଯିବା ଦୁର୍ଭାଗ୍ୟଜନକ । ପଦ୍ମପୁର ହେଉଛି ସ୍ୱାଭିମାନୀ ଓ ସଂଗ୍ରାମୀଙ୍କ ମାଟି । ସେହି ଅଞ୍ଚଳରେ ଶହୀଦ ମାଧୋ ସିଂହ ଅନ୍ୟାୟର ପ୍ରତିବାଦ କରିଥିଲେ । ନିଜର ହକକୁ ଲଢେଇ କରି ହାସଲ କରିବାର ପରମ୍ପରାର ମାଟି ହେଉଛି ପଦ୍ମପୁର ।ଆଜି ସେହି ଅଞ୍ଚଳର ଯୁବକମାନେ ବାହରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି ।୨୨ ବର୍ଷର ଲମ୍ବା ଶାସନରେ ରହିବା ପରେ ମଧ୍ୟ ସେଠାରେ ଚିକିତ୍ସା ସେବା ବିପର୍ଯ୍ୟସ୍ତ । ସେଭଳି ମାଟିରେ ପ୍ରବଞ୍ଚନା ଚାଲିବ ନାହିଁ । ପଦ୍ମପୁର ଭଳି ମାଟିରେ ଲୋକ ନିର୍ବାଚନ ଲଢୁଛନ୍ତି ଓ ଏହି ଉପନିର୍ବାଚନରେ ଲୋକମାନେ ଉଚିତ୍ ଜବାବ ଦେବେ ।