ଆଜି ପୁଣି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଦ୍ୱିତୀୟ ଥର ପାଇଁ ପଚରା ଉଚରା କରିବେ ଇଡି ଅଧିକାରୀ । ଜୁଲାଇ ୨୧ରେ ୭୫ ବର୍ଷୀୟ ସୋନିଆଙ୍କୁ ପ୍ରଥମଥର ପାଇଁ ଇଡି ନ୍ୟାଶନାଲ ହେରାଲ୍ଡ ମାମଲାରେ ଜେରା କରିଥିଲେ। ପ୍ରାୟ ୩ ଘଣ୍ଟାର ଜେରା ବେଳେ ତାଙ୍କୁ ୨୮ଟି ପ୍ରଶ୍ନ ପଚରା ଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ନେସନାଲ ହେରାଲ୍ଡ ଓ ୟଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡରେ କଥିତ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ କରୁଛି । ସେପଟେ ସୋନିଆ ଗାନ୍ଧୀ ହାଜର ହେବା ପୂର୍ବରୁ ପ୍ରେସ କନଫରେନ୍ସ କରି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଶକ୍ତି ସିଂ ଗୋହିଲ କହିଛନ୍ତି ମୋଦୀ ସରକାର ପ୍ରତିଶୋଧମୂଳକ ରାଜନୀତି କରୁଛନ୍ତି । ଏଥିସହ ଗୁଜରାଟ ଦଙ୍ଗା ମାମଲାରେ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କୁ ଜେରାକୁ ନେଇ ମଧ୍ୟ ସେ ପକ୍ଷ ରଖିଛନ୍ତି ।

ଗତ ଗୁରୁବାର ସୋନିଆ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଥିଲା । ଯାହାକୁ ସମାଲୋଚନା କରି ବିଜେପି କହିଥିଲା, ଅତୀତରେ ନରେନ୍ଦ୍ର ମୋଦୀ ଓ ଶାହାଙ୍କୁ ମଧ୍ୟ ଜେରା ହୋଇଥିଲା, କିନ୍ତୁ ଦେଶର ସଂସ୍ଥାକୁ ସମ୍ମାନ ଜଣାଇ ଦଳ ବିରୋଧ ପ୍ରଦର୍ଶନ କରିନଥିଲା । ପ୍ରଥମ ରାଉଣ୍ଡର ଜେରା ଭଳି ଦ୍ୱିତୀୟ ଥର ମଧ୍ୟ ସୋନିଆଙ୍କୁ କୋଭିଡ ପ୍ରୋଟକଲ ମଧ୍ୟରେ ପଚରାଉଚରା କରାଯିବ। ଜେରା ବେଳେ ଇଡି ଅଫିସରେ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ୍‌ ଉପସ୍ଥିତ ରହିବ। ତାଙ୍କୁ ଜେରା କରିବାକୁ ଥିବା ଅଧିକାରୀମାନେ କରୋନାର ନେଗେଟିଭ ପ୍ରମାଣପତ୍ର ଦେଖାଇବେ। ସେହିପରି ସୋନିଆ ଗାନ୍ଧି ଓ ତଦନ୍ତକାରୀ ଅଧିକାରୀ ଆବଶ୍ୟକ ଦୂରତାରେ ବସିବେ ବୋଲି ଜଣାପଡ଼ିଛି।