ଗଞ୍ଜାମବାସୀଙ୍କ ପାଇଁ ରାଜ୍ୟସରକାରଙ୍କୁ ଅନୁଦାନ ମାଗିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗଞ୍ଜାମ: ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ, ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଞ୍ଜାମ ଗସ୍ତ । ଆଜି ଆଦି ଶକ୍ତିକ୍ଷେତ୍ର ମା’ ତାରାତାରିଣୀ ପୀଠକୁ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଧର୍ମପତ୍ନୀ ମୃଦୁଲା ଠାକୁର ପ୍ରଧାନଙ୍କ ସହ ମା’ଙ୍କ ଦର୍ଶନ କରିଛନ୍ତି । ପ୍ରଥମେ ଗଞ୍ଜାମ ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କୁ ଦର୍ଶନ କରିଥିଲେ ଧର୍ମେନ୍ଦ୍ର । ଏହାପରେ ସେ ବ୍ରହ୍ମପୁର (ଆଇଜର)ର ସ୍ଥାୟୀ କ୍ୟାମ୍ପସକୁ ଯାଇଥିଲେ।

ଏଥିସହିତ ବ୍ରହ୍ମପୁର ଉପକଣ୍ଠ ଲଉଡିଗାଁରେ ହେଉଥିବା ସ୍ଥାୟୀ ଆଇଜର କ୍ୟାମ୍ପସରେ ନିର୍ମାଣ ସରିଥିବା ଗୋଟିଏ ହଷ୍ଟେଲର ଉଦଘାଟନ ମଧ୍ୟ କରିଥିଲେ । ଆଇଜର କ୍ୟାମ୍ପସରେ କିଛି ସମୟ ରହିବା ପରେ ସେଠାରୁ ରଙ୍ଗେଇଲୁଣ୍ଡା ବ୍ଲକର ଗୋଳନ୍ଥରା ଗସ୍ତ କରିଛନ୍ତି । ଗୋଳନ୍ଥରାର ଇଶାଣେଶ୍ବର ମନ୍ଦିର ନିକଟରେ ପ୍ରଧାନମନ୍ତ୍ରୀଙ୍କ ସୁଶାସନ,ସେବା, ଗରିବ କଲ୍ୟାଣର ୮ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ‘ବିଶାଳ କାର୍ଯ୍ୟକର୍ତ୍ତା ସମାବେଶ’ରେ ଯୋଗଦେଇଥିଲେ ।

ଓଡ଼ିଶା ପାଇଁ ମୋଦି ସରକାରଙ୍କ ପ୍ରତିବଦ୍ଧତା ଉପରେ ଅଭିଭାଷଣ ଦେବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ଘରେ ଘରେ ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଭିଭାଷଣରେ କହିଛନ୍ତି, ଜାତୀୟ ରାଜପଥ, ରେଳ, ବିମାନବନ୍ଦର ଭିତ୍ତିଭୂମିର ବିକାଶ ପାଇଁ ମୋଦି ସରକାର ଓଡ଼ିଶାକୁ ବିପୁଳ ଅନୁଦାନ ଦେଉଛନ୍ତି ।

ମାଗଣା କୋଭିଡ୍ ଟିକାକରଣର ବ୍ୟବସ୍ଥା ହୋଇଛି । କରୋନା ସମୟରେ ବାହାରେ କାମ କରୁଥିବା ଗଞ୍ଜାମର ଲୋକଙ୍କୁ ଫେରାଇ ଆଣିବା ତଥା ବିଦେଶରେ ଫସି ରହିଥିବା ପ୍ରବାସୀ ମାନଙ୍କୁ ଉଦ୍ଧାର କରିବାରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ବ୍ରହ୍ମପୁରରେ ଏୟାରପୋର୍ଟ ନିର୍ମାଣ ପାଇଁ ସ୍ଥାନୀୟ ଅଧିବାସୀଙ୍କ ଦାବୀ ରହିଛି । ରାଜ୍ୟ ସରକାର ଏଥିପାଇଁ ଜମି ଉପଲବ୍ଧ କରାଇଲେ ବ୍ରହ୍ମପୁରରେ ଏୟାରପୋର୍ଟ ନିର୍ମାଣ କରିବାର ଦାୟିତ୍ୱ ମୋଦି ସରକାର ନେବେ । ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାର ଲୋକମାନେ ବିଶେଷ ଭାବରେ ଉପକୃତ ହେବା ସହ ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବ ।