ଆଜିଠାରୁ ଆରମ୍ଭ ହେଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍

ଲଣ୍ଡନ: ଆଜିଠାରୁ ଆରମ୍ଭ ହେଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ । ଇଂଲଣ୍ଡ ବିପକ୍ଷ ନିର୍ଣ୍ଣାୟକ ପଞ୍ଚମ ଟେଷ୍ଟ୍‌ର ପ୍ରଥମ ତିନି ଦିନ ପ୍ରାଧାନ୍ୟ ବିସ୍ତାର କରିବା ସତ୍ତ୍ବେ ଭାରତ ଶେଷରେ ୭ ୱିକେଟ୍‌ର ଲଜ୍ଜାଜନକ ପରାଜୟ ବରଣ କରିଥିଲା। ସ୍ଥିତି ୨-୨ ରହିବାରୁ ଇଂଲଣ୍ଡ ମାଟିରେ ଆଉ ଏକ ଟେଷ୍ଟ୍‌ ଶୃଙ୍ଖଳା ଜିତିବାର ସୁବର୍ଣ୍ଣ ସୁଯୋଗ ମଧ୍ୟ ହାତଛଡ଼ା କରିଥିଲା ଟିମ୍‌ ଇଣ୍ଡିଆ। ଏହି ପରାଜୟର ମାତ୍ର କିଛି ଘଣ୍ଟା ପରେ କିନ୍ତୁ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଆଉ ଏକ ମହାଯୁଦ୍ଧ ଲଢ଼ିବାକୁ ଯାଉଛି। ତାହା ପୁଣି ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ।
ହମ୍ପସାୟାରର ଏଜେସ୍ ବାଓ୍ୱେଲରେ ଖେଳାଯିବ ଏହି ମ୍ୟାଚ । ଆଜିର ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କରୋନା ସଂକ୍ରମଣ ପରେ ପୁଣି ଥରେ ଦଳକୁ ଫେରିବେ । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଆଉ ମାତ୍ର ଦୁଇ ମାସ ବାକିଥିବା ବେଳେ ଭାରତ ପରୀକ୍ଷା ନିରୀକ୍ଷା ବନ୍ଦ କରି ଏହି ମେଗା ଇଭେଣ୍ଟ ପାଇଁ ନିଜର ଶ୍ରେଷ୍ଠ ଟିମ୍ ଚୂଡ଼ାନ୍ତ କରିବା ଲକ୍ଷ୍ୟରେ ରହିଛି । ଆଉ ଇଂଲଣ୍ଡ ବିପକ୍ଷ ସିରିଜ ଏ ଦିଗରେ ଏକ ସୁଯୋଗ ଆଣିଛି ।

ଏହାଛଡ଼ା ପଞ୍ଚମ ଟେଷ୍ଟରେ ଖେଳିଥିବା ବିରାଟ କୋହଲି, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା, ଶ୍ରେୟସ ଆୟର ଓ ଋଷଭ ପନ୍ତ ଦ୍ୱିତୀୟ ମ୍ୟାଚରୁ ଉପଲବ୍ଧ ହେବେ । ଏସବୁ ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତି ଋତୁରାଜ ଓ ସଞ୍ଜୁ ସାମସନଙ୍କ ଭଳି ରିଜର୍ଭ ଖେଳାଳିଙ୍କ ପାଇଁ ବିଶ୍ୱକପ ସମ୍ଭାବ୍ୟ ଦଳରେ ସ୍ଥାନ ପାଇବା ଲାଗି ଦାବି ଉପସ୍ଥାପନ କରିବାକୁ ସୁଯୋଗ ହେବ । ସେପଟେ ଇୟାମ ମୋର୍ଗାନଙ୍କ ଅବସର ପରେ ଏହି ସିରିଜରୁ ଜୋସ ବଟଲରଙ୍କ ନେତୃତ୍ୱରେ ଇଂଲଣ୍ଡ ଟି-୨୦ ଦଳର ନୂଆ ଯୁଗ ଆରମ୍ଭ ହେବ ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ୟୁଝବେନ୍ଦ୍ର ଚହଲ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଅଭେସ ଖାନ୍/ଉମ୍ରାନ ମଲ୍ଲିକ ଈଶାନ କିଶନ, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ ।

ସମ୍ଭାବ୍ୟ ଇଂଲଣ୍ଡ: ଜୋସ୍ ବଟଲର (ଅଧିନାୟକ), ମୋଇନ ଅଲ୍ଲୀ, ସାମ୍ କୁରାନ, କ୍ରିସ୍ ଜୋର୍ଡାନ୍, ରେସି ଟପଲେ, ଡେଭିଡ୍ ୱିଲି, ରିଚାର୍ଡ ଗ୍ଲିସନ୍, ମାଥ୍ୟୁ ପାର୍କିନସନ୍, ଲିୟାମ ଲିଭିଂଷ୍ଟୋନ୍, ଦାୱିଦ ମଲାନ, ଜାସନ ରୟ, ଟାଇମଲ ମିଲ୍ସ ।