ପରଜଙ୍ଗ (ସୁଜିତ୍ ଦଳବେହେରା ):ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବୃଦ୍ଧଙ୍କୁ ବିଭତ୍ସ ହତ୍ୟା ସହ ୩ ଜଣ ଗୁରୁତର ହୋଇଛନ୍ତି । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗାଁରେ । ମୃତ ବୃଦ୍ଧ ଜଣଙ୍କ ଜୟପୁରାକାଟେଣୀ ଗାଁର ୬୫ ବର୍ଷୀୟ ବୃଦ୍ଧ ବୈକୁଣ୍ଠ ସାହୁ । ଏବଂ ବୈକୁଣ୍ଠଙ୍କ ପୁଅ ପିଣ୍ଟୁ ସାହୁ ଗୁରୁତର ହୋଇଛନ୍ତି । ସେହିପରି ଅନ୍ୟ ଗୋଷ୍ଠୀର ସିଦ୍ଧାର୍ଥ ସାହୁ ଗୁରୁତର ହୋଇଥିବା ବେଳେ ସଞ୍ଜୟ ସାହୁ ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।ସୂଚନା ଅନୁଯାୟୀ ,ପଦ୍ମପୋଖରୀ ଗାଁ ଖେଳପଡିଆ ପାଖ ସାଧୁଆନାଳୀରେ ବୈକୁଣ୍ଠ ସାହୁ ଗୁରୁବାର ଦିନ ଜମି ଖୋଳାଇଥିଲେ । ଯାହାକୁ ନେଇ ସଞ୍ଜୟ ଓ ସିଦ୍ଧାର୍ଥଙ୍କ ପରିବାର ଲୋକେ ମିଶି ଆଜି ସେ ଜମିକୁ ଯାଇ ମାଟି ପକେଇ ପୋତି ଦେଇଥିଲେ। ଆଉ ସେଇଠୁ ହିଁ ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ । ଦୁଇ ଗୋଷ୍ଠୀର ସଂଘର୍ଷରେ ଘଟଣା ସ୍ଥଳରେ ବୈକୁଣ୍ଠଙ୍କର ମୃତ୍ୟୁ ହୋଇଥିଲା । ଏବଂ ଉଭୟ ପକ୍ଷରୁ ୩ ଜଣ ଗୁରୁତର ହୋଇଥିଲେ । ଏ ନେଇ ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି ।