ଦିଲ୍ଲୀ:ମହଙ୍ଗା ମାଡରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ୨୦ ଟଙ୍କା ପର୍ଯ୍ୟନ୍ତ ଦର ହ୍ରାସ କଲେ ତେଲ କମ୍ପାନୀ । ସୂର୍ଯ୍ୟମୁଖୀ, ସୋୟାବିନ୍, ଶୋରିଷ ତେଲ ଓ ପାମ୍ ତେଲର ଦର ହ୍ରାସ ପାଇଛି । ଧାରା ବ୍ରାଣ୍ଡରେ ଖାଇବା ତେଲ ବିକ୍ରି କରୁଥିବା କମ୍ପାନୀ ମଦର ଡାଏରୀ ଶୋରିଷ, ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲ ଦର ହ୍ରାସ କରିଛି । ସବୁ ତେଲର ଦାମ୍ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଖୁବ୍ ଶୀଘ୍ର ଶସ୍ତା ତେଲ ପ୍ୟାକେଟ୍ ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।ସେହିପରି ପାମ୍ ଅଏଲ ମଧ୍ୟ ୭ରୁ ୮ ଟଙ୍କା ଶସ୍ତା ହୋଇଛି । ଏହା ସହ ଫ୍ରିଡମ୍ ବ୍ରାଣ୍ଡରେ ଆସୁଥିବା ସବୁ ତେଲ ଦର ମଧ୍ୟ ହ୍ରାସ କରାଯାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ହାଇଦ୍ରାବାଦ ସ୍ଥିତ କମ୍ପାନୀ ଜେମିନି ପକ୍ଷରୁ ଗତ ସପ୍ତାହରେ ଫ୍ରିଡମ୍ ସୂର୍ଯ୍ୟମୁଖୀ ତେଲ ୧୫ ଟଙ୍କା ହ୍ରାସ କରିଥିଲା । ଏହି କମ୍ପାନୀ ଆଗାମୀ ଦିନରେ ୨୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା କରିବାକୁ ଯାଉଛି । କିଛି ଦିନ ହେବ ସୂର୍ଯ୍ୟମୁଖୀ ତେଲର ଆମଦାନୀ ରୁଷ ଓ ଆର୍ଜେଂଟିନା ପରି ଦେଶରୁ ବୃଦ୍ଧି ପାଇଛି । ଯାହାର ପ୍ରଭାବ ତେଲ ଦର ଉପରେ ଦେଖିବାକୁ ମିଳିଛି ।