(ଜାମ୍ମୁ କାଶ୍ମୀର) : ଦିନକୁ ଦିନ ହିଂସ୍ର ହୋଇପଡୁଛି ଆତଙ୍କବାଦୀ ସଂଗଠନ । ଜାମ୍ମୁ କାଶ୍ମୀରରେ ଗତ କିଛିଦିନ ହେଲା ଆତଙ୍କବାଦୀ ଦମନ ଅଭିଯାନ ଜୋରଦାର କରାଯାଉଛି । ଯାହାକୁ ନେଇ ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ ଆକ୍ସନ୍ ମୋଡରେ ରହିଛି । ବୁଧବାର ମଧ୍ୟ ରାତ୍ରିରେ ଜାମ୍ମୁ କାଶ୍ମୀର ଏବଂ ପୋଲିସର ମିଳିତ ଅପରେସନ ଯୋଗୁଁ ଶୋପିଆନ୍ ଜିଲ୍ଲା ଅଲରାରେ ଜଣେ ଆତଙ୍କବାଦୀ ନିହତ ହୋଇଛି।

ସୂଚନାନୁସାରେ, ଶୋପିଆନ୍ ଜିଲ୍ଲା ଅଲୁରାର ଏକ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଜାଣିବାକୁ ପାଇଥିଲା ଗୁଇନ୍ଦା ବିଭାଗ । ପରେ ପୋଲିସ ଏବଂ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ଲୁଚି ରହିଥିବା ଆତଙ୍କୀ ପ୍ରଥମେ ସେନା ଯବାନଙ୍କ ଉପରକୁ ଗୁଳିମାଡ କରିଥିଲା । ଯବାନଙ୍କ ପାଲଟା ଆକ୍ରମଣରେ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି ।
ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁଳି ବିନିମୟ ବେଳେ ଆତଙ୍କବାଦୀ ଜଣକ ନିହତ ହୋଇଛି । ତେବେ ସେ ହିଜବୁଲ୍ ମୁଜାହିଦ୍ଦିନ୍ ସଂଗଠନର ହୋଇଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ସ୍ପଷ୍ଟ ହୋଇ ନାହିଁ । ମୃତକ ଆତଙ୍କୀ ନିକଟରୁ ଗୋଟିଏ ୭.୬୨ ମିମି ଏସଏଲଆର୍, ଗୋଟିଏ ଏକେ-୪୭ ରାଇଫଲ୍, ଗ୍ରେନେଡ୍, ଆଇଇଡି ସମେତ ଗୋଳା ବାରୁଦ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ନିହତ ଆତଙ୍କବାଦୀ କୁଲଗାମ ଅଞ୍ଚଳର ନଦୀମ ଅହମ୍ମଦ ବୋଲି ଜଣାପଡିଛି ।