(ଜାମ୍ମୁ କାଶ୍ମୀର) : ଘରୋଇ ଗାଡିରେ ବିସ୍ପୋରଣ ୩ ଯବାନ ଆହତ । ଜାମ୍ମୁ କାଶ୍ମୀର ସ୍ଥିତ ଶ୍ରୀନଗରର ଶୋପିଆନରେ ଏକ ଗାଡିରେ ବିସ୍ଫୋରଣ ଘଟିଛି । ଫଳରେ ୩ଜଣ ସେନା ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣ ପାଇଁ ବିସ୍ଫୋରଣ ଘଟିଲା ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ଶୋପିଆନ ଜିଲ୍ଲା ସିଡୋ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି । ଯେଉଁ ଗାଡିରେ ଧମାକା ହୋଇଛି ତାକୁ ଭାରତୀୟ ସେନାର କିଛି ଯବାନ ଭଡାରେ ନେଇଥିଲେ । ଗାଡି ଭିତରେ ପୂର୍ବରୁ ହିଁ ଆଇଡି ରଖା ଯାଇଥାଇପାରେ ବୋଲି ସନ୍ଦେହ କରୁଛି ସୁରକ୍ଷା ଏଜେନ୍ସି ।
ଅନ୍ୟପଟେ ଗ୍ରେନେଡ୍ ମାଡ ହୋଇଥିବା ସନ୍ଦେହକୁ ମଧ୍ୟ ଏଡାଇ ଦିଆଯାଇନପାରେ । ଏହା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୋଲି ସନ୍ଦେହ କରାଯାଉଛି । ବିସ୍ଫୋରଣ ଘଟଣାକୁ ନେଇ ଜାମ୍ମୁ କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି, ‘କେଉଁ କାରଣରୁ ବିସ୍ଫୋରଣ ଘଟିଲା ସେ ନେଇ ଖୋଳତାଡ ଜାରିରହିଛି । ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ’।