ସୋନପୁର:‘ନୋ ହେଲମେଟ୍ ନୋ ପେଟ୍ରୋଲ’କୁ ସମଗ୍ର ସୋନପୁର ଜିଲ୍ଲାରେ କଡାକଡି କରିବା ଉପରେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପର୍ଯ୍ୟାୟରେ ବୈଠଜ କରାଯାଇ ନିଷ୍ପତି ଗ୍ରହଣ କରାଯାଇଛି ।ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଆଜି ଠାରୁ ନୋ ହେଲମେଟ ନୋ ପେଟ୍ରୋଲକୁ ଗୁରୁତ୍ୱ ଦିଆଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକଙ୍କ ତତ୍ୱାବଧାନରେ ବିଭାଗୀୟ କର୍ମକର୍ତ୍ତା, ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀଙ୍କ ସମେତ ପୋଲିସ ବିଭାଗର କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ତଥା ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ମିଳିତ ଟିମ ନିଷ୍ପତିର କାର୍ୟ୍ୟକାରିତାକୁ ସୁନିଶ୍ଚିତ କରିବା ସହ ପେଟ୍ରୋଲ ପମ୍ପ ମାଳିକ /ମ୍ୟାନେଜରଙ୍କୁ କଡାକଡି କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି ।
ଯେଉଁ ପେଟ୍ରୋଲ ପମ୍ପ ଏହାର ଖିଲାଫ୍ କରିବ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ କରାଯିବା ସହ ୫,୦୦୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ପୁନଶ୍ଚ ଜିଲ୍ଲାର ସଡ଼କ ସୁରକ୍ଷାକୁ ବ୍ୟବସ୍ଥିତ କରିବା ସହ ସଡ଼କ ଦୁର୍ଘଟଣାକୁ ହ୍ରାସ କରାଯିବା ନିମନ୍ତେ ଅନୁଷ୍ଠିତ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ନିଷ୍ପତି ନିଆଯାଇଥିଲା । ଗାଡି ଚାଳନାରେ ସାଧାରଣ ସତର୍କତା ଅବଲମ୍ବନ ପୂର୍ବକ ହେଲମେଟ ବ୍ୟବହାର, ସିଟ ବେଲ୍ଟ ପରିଧାନ କରିବା, ନିଶାସକ୍ତ ଅବସ୍ଥାରେ ଗାଡି ନ ଚଳାଇବା , ଗାଡ଼ି ଚାଳନା ଲାଇସେନ୍ସ ଓ ଇନସ୍ୟୁରାନ୍ସକୁ ନିଶ୍ଚିତ କରିବା ଉପରେ ବିଶେଷ ଧ୍ୟାନ ଦେବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ତେବେ ନିୟମକୁ ଫୁ କରୁଥିବା ଅମାନିଆଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।