ରାଞ୍ଚି : ଦିବ୍ୟାଙ୍ଗଙ୍କୁ ବିମାନରେ ଯାତ୍ରା କରିବାକୁ ମନା କରିବା ଘଟଣାରେ ସଂପୃକ୍ତ ଇଣ୍ଡିଗୋ କମ୍ପାନୀକୁ ଡିଜିସିଏ ପକ୍ଷରୁ ୫ଲକ୍ଷ ଟଙ୍କାର ଜୋରିମାନା ସହିତ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ହସ୍ତକ୍ଷେପ ବଳରେ ମାତ୍ର ୨୧ଦିନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନାନୁସାରେ, ଗତ ମେ’ ମାସ ୭ତାରିଖରେ ଜଣେ ଦିବ୍ୟାଙ୍ଗ ବାଳକ ତାଙ୍କର ପିତାମାତାଙ୍କ ସହିତ ରାଞ୍ଚିରୁ ହାଇଦ୍ରାବାଦ ଯାତ୍ରା କରିବା ପାଇଁ ବିମାନକୁ ଯାଉଥିଲେ । ମାତ୍ର ବୋର୍ଡିଂ କରିବା ପୂର୍ବରୁ ତାଙ୍କୁ ଯାତ୍ରା କରିବାକୁ ମନା କରାଯାଇଥିଲା । ପିତାମାତା ଯେତେ ନେହୁରା ହେଲେ ବି ବିମାନ କର୍ତ୍ତୃପକ୍ଷ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ । ଫଳରେ ସେହି ଦିବ୍ୟାଙ୍ଗ ବାଳକ ସମେତ ପିତାମାତା ଯାତ୍ରା କରିପାରିନଥିଲେ । ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁତର ସହ ଘଟଣାକୁ ନେଇ ଏହାର ତଦନ୍ତ କରାଇଥିଲେ । ତେବେ ସେ ଯାହେଉ, ମାତ୍ର ୨୧ ଦିନ ପରେ ସଂପୃକ୍ତ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷଙ୍କ ଉପରେ ୫ଲକ୍ଷ ଟଙ୍କାର ଜୋରିମାନା ସହିତ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।