ଆମେରିକାରେ ଟେକ୍ସାସର ଏକ ସ୍କୁଲରେ ଗୁଳିକାଣ୍ଡ ; ୨୧ ମୃତ

ଟେକ୍ସାସ: ଆମେରିକାରେ ଟେକ୍ସାସର ଏକ ସ୍କୁଲରେ ଗୁଳିକାଣ୍ଡ । ଜଣେ ୧୮ ବର୍ଷୀୟ ଯୁବକର ଗୁଳିମାଡରେ ରକ୍ତରଞ୍ଜିତ ସ୍କୁଲ ପରିସର । ଏହି ଗୁଳିମାଡରେ ୧୮ ଛାତ୍ରଛାତ୍ରୀ ଓ ୩ ଜଣ ଶିକ୍ଷକ ଓ କର୍ମଚାରୀ ପ୍ରାଣ ହରାଇଛନ୍ତି । ଟେକ୍ସାସ ଉଭାଲ୍ଡର ଏକ ଏଲିମେନ୍ଟାରି ସ୍କୁଲରେ ଏହି ଆଖିବୁଜା ଫାୟାରିଂ ହୋଇଛି । ଯୁବକ ଜଣଙ୍କ ଘରେ ଜେଜେମାଙ୍କୁ ହତ୍ୟା ପରେ ସ୍କୁଲରେ ଗୁଳିମାଡ କରିଥିବା ସୂଚନା ରହିଛି ।

ଏହି ଲୋମହର୍ଷକ କାଣ୍ଡରେ ଆତତାୟୀ ସାଲଭାଡର ରାମୋସ ସୁରକ୍ଷାକର୍ମୀଙ୍କ ଗୁଳିରେ ମୃତ୍ୟୁ ବରଣ କରିଛି । ଏହାସହ ତା ନିକଟରୁ ଏକ ହ୍ୟାଣ୍ଡଗନ ଓ ଏକ ରାଇଫଲ ଜବତ ହୋଇଛି । ଏହି ଘଟଣା ପରେ ରାଷ୍ଟ୍ରପତି ଜୋ ବାଇଡେନ ଘଟଣାର ସମୀକ୍ଷା କରିଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହା ସହ ଆମେରିକାରେ ପତାକା ଅର୍ଦ୍ଧନମିତ ରଖିବାକୁ ହ୍ୱାଇଟ ହାଉସର ସୂଚନା । ଦେଶବାସୀଙ୍କ ଉଦ୍ଦେଶ୍ୟରେ ଶୋକବାର୍ତ୍ତା ଦେଲେ ରାଷ୍ଟ୍ରପତି ବାଇଡେନ୍ । ୨୦୧୨ରେ କନେକ୍ଟିକଟର ସାଣ୍ଡି ହୁକରେ ଘଟିଥିବା ଗୁଳିକାଣ୍ଡରେ ୨୦ ଛାତ୍ରଛାତ୍ରୀ ଓ ୬ କର୍ମଚାରୀ ପ୍ରାଣ ହରାଇଥିଲେ । ଗତ ମେ ୧୪ରେ ନ୍ୟୁୟର୍କ ବଫାଲୋରେ ଜଣେ ଯୁବକଙ୍କ ଗୁଳିରେ ୧୦ ଜଣ ପ୍ରାଣ ହରାଇଥିଲେ । ୨୦୧୨ ସାଣ୍ଡି ହୁକ୍ ସ୍କୁଲ ଗୁଳିକାଣ୍ଡ ପରେ ଏହା ସବୁଠୁ ବଡ ଆକ୍ରମଣ ବୋଲି ଜଣାପଡିଛି ।