ଭୁବନେଶ୍ୱର: ବୃଦ୍ଧି ହୋଇଛି ସହିଦଙ୍କ ପରିବାରକୁ ମିଳୁଥିବା ଅନୁକମ୍ପା ରାଶି । ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସହାୟତା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଯୁଦ୍ଧ, ଆତଙ୍କୀ ଓ ଉଗ୍ରବାଦର ମୁକାବିଲା ବେଳେ ସହିଦ ଯବାନଙ୍କ ପରିବାରକୁ ଏହି ସହାୟତା ପ୍ରଦାନ କରାଯାଉଛି ।
ସୂଚନା ଅନୁଯାୟୀ, ସାମରିକ, ଅର୍ଦ୍ଧସାମରିକ ବାହିନୀରେ ରହି ନିଜ ଜୀବନ ହରାଉଥିବା ଯବାନ, ଅଫିସରଙ୍କ ପରିବାର ପାଇଁ ରାଜ୍ୟ ସରକାର ଏହି ଅର୍ଥ ପ୍ରଦାନ କରିଥାନ୍ତି । କାରଗିଲ ଯୁଦ୍ଧ ପରଠାରୁ ଏହି ସହାୟତା ପ୍ରଦାନ କରାଯାଇ ଆସୁଛି । ଏଥିପାଇଁ ଏକ ପାଣ୍ଠି ଗଠନ କରିଛନ୍ତି ସରକାର । ପ୍ରାଥମିକ ଭାବରେ ଏହି ସହାୟତା ରାଶି ଏକ ଲକ୍ଷ ଟଙ୍କା ଥିବା ବେଳେ ୨୦୧୦ ଓ ୨୦୧୨ ମସିହାରେ ଏହାକୁ ଯଥା କ୍ରମେ ୨ ଲକ୍ଷ ଓ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଆଉ ଏବେ ଏହି ରାଶିକୁ ବୃଦ୍ଧି କରାଯାଇ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।