ଭୁବନେଶ୍ୱର: ଓଡ଼ିଶା କଂଗ୍ରେସକୁ ମିଳିବ ନୂଆ ମଙ୍ଗୁଆଳ । ରାଜ୍ୟ କଂଗ୍ରେସ ଖୁବଶୀଘ୍ର ପାଇବ ନୂଆ ମୁଖିଆ । ଦଳକୁ ସୁଦୃଢ଼ କରିବାକୁ ଦଳକୁ ମିଳିବ ନୂଆ ନେତୃତ୍ୱ । ଆଜି କଂଗ୍ରେସର ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର କଂଗ୍ରେସ ଭବନରେ ପିସିସି ସଭାପତି, ବିଧାୟକ ଓ ଅନ୍ୟ ନେତାଙ୍କ ସହ କରିଥିଲେ ୱାନ ଟୁ ୱାନ । ତେବେ ଏହି ବୈଠକ ପରେ କଂଗ୍ରେସ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଇସ୍ତଫା ଦେଇଥିବା ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁଯାୟୀ, ଆଜି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଦଳୀୟ ସଂଗଠନ ନେଇ ଆଲୋଚନା କରିବା ପରେ ଏପରି ଚର୍ଚ୍ଚା କଂଗ୍ରେସ ଶିବିରରେ ଚହଳ ପକାଇଛି।ଅନ୍ୟପକ୍ଷେ ଘଟଣାରେ ନରସିଂହ ମିଶ୍ରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ରାଜ୍ୟ ରାଜନୀତିରେ କଂଗ୍ରେସର ଭୂମିକା ଧିରେ ଧିରେ ଡାଉନ ହେଉଥିବା ସମୟରେ ଦଳକୁ ସୁଦୃଢ଼ କରିବା ପାଇଁ କଂଗ୍ରେସ ଦଳକୁ ଏକ ନୂଆ ମୁଖିଆର ଆବଶ୍ୟକତା ରହିଛି। ଏନେଇ ଦଳୀୟ ନେତା ଓ ବିଧାୟକଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି ପ୍ରଭାରୀ ଚେଲ୍ଲା କୁମାର । ଆଲୋଚନା ପରେ ଖୁବଶୀଘ୍ର ଅର୍ଥାତ ମେ’ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସକୁ ନୂଆ ପିସିସି ସଭାପତି ମିଳିଯିବ ବୋଲି ଅନୁମାନ କରାଯାଉଛି ।
ଅନ୍ୟପକ୍ଷରେ ଆଜିର ଆଲୋଚନାକୁ ନେଇ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ହାଇକମାଣ୍ଡଙ୍କୁ ରିପୋର୍ଟ ପ୍ରଦାନ କରିବେ । ପିସିସି ସଭାପତି ରେସରେ ଦଳର ବରିଷ୍ଠ ନେତା ଶରତ ପଟ୍ଟନାୟକ, ଭକ୍ତ ଦାସ ଓ ମହମ୍ମଦ ମୋକିମ ରହିଛନ୍ତି । ମୁଖ୍ୟତଃ ଓଡ଼ିଶା ପ୍ରଭାରୀଙ୍କ ପ୍ରଦତ୍ତ ନାଁ ଗୁଡ଼ିକ ଭିତରୁ ଗୋଟିଏ ନାଁ ଉପରେ ମୋହର ମାରିପାରନ୍ତି କଂଗ୍ରେସ ହାଇକମାଣ୍ଡ।