ଭୁବନେଶ୍ୱର: କେମିତି ମଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେଇଆ ଲଳିତ ସାହୁ ? ଲଳିତଙ୍କୁ ହତ୍ୟା କରାଯାଇଛି କି ? ତାଙ୍କୁ ହତ୍ୟା କରାଯିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି କି ? ଏମିତି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇଯାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ଡ୍ରାଇଭରଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି । ତେବେ ରୋଷେଇଆ ମୃତ୍ୟୁ ପଛରେ କିଛି ବଡ ଷଡଯନ୍ତ୍ର ଥିବା ଅଭିଯୋଗ ସାମ୍ନାକୁ ଆସିଛି । ଆଉ ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ ଦାବି କରାଯାଇଛି ।
ତେବେ ଏହି ଷଡଯନ୍ତ୍ର ପଛରେ ଖୋଦ୍ ଜିଲ୍ଲାପାଳ, ଏସପି, ସିଡିଏମଓ, ଏଡିଏମଓ, ଆଇଆଇସି ଓ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ସମ୍ପୃକ୍ତି ଥିବା ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଯାହାକୁ ନେଇ ଘଟଣାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି ଜୋର ଧରିଛି । ସୂଚନା ଅନୁଯାୟୀ, ମୃତ ଲଲିତ କୁମାର ସାହୁ ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ନୂଆପଡା ଗାଁରେ ରୁହନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରେ ରୋଷେଇଆ ଭାବେ କାମ କରୁଥିବା ଲଳିତଙ୍କର ହଠାତ କେମିତି ମୃତ୍ୟୁ ଘଟିଲା ? ଆଉ ରାତି ଅଧିଆ କାହିଁକି ପୋଲିସ ଶବ ଜବତ କରି ପୋଷ୍ଟମର୍ଟମ କରିଦେଲା ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।
ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ତାଙ୍କ ଡ୍ରାଇଭରଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା। ଘଟଣାରେ ଅଞ୍ଜଳି ସମବେଦନା ଜଣାଇବା ନିମନ୍ତେ ଳଳିତଙ୍କ ଘରକୁ ଯାଇଥିବା ବେଳେ, ସେଠାରେ ନବ ଦାସଙ୍କ ଡ୍ରାଇଭର ଲଳିତ ଓ ତାଙ୍କ ପରିବାରକୁ ଖରାପ ବ୍ୟବହାର କରିଥିବାର ଅଭିଯୋଗ ସାମ୍ନାକୁ ଆସିଛି । ଯାହା ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ତାଙ୍କ ଡ୍ରାଇଭରର ଭୂମିକା ଉପରେ ଖୁଲମ ଖୁଲା ପ୍ରଶ୍ନବାଚୀ ସୃଷ୍ଟି କରିଛି ।