ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କମିଛି । ତେଣୁ ସବୁ ପରୀକ୍ଷା ଓ ପାଠପଢା ଧୀରେ ଧୀରେ ସ୍ୱାଭାବିକ କରାଯାଉଛି । ଏହାରି ମଧ୍ୟରେ ଗେଟ୍-୨୦୨୨ ପରୀକ୍ଷାର ସମୟରେ କୌଣସି ପରିବର୍ତ୍ତନ ହେବ ନାହିଁ । ପରୀକ୍ଷା ଘୁଞ୍ଚିବ ନାହିଁ ବୋଲି ସ୍ପଷ୍ଟୀକରଣ କରିଛନ୍ତି ସୁପ୍ରିମକୋର୍ଟ । ନିର୍ଦ୍ଧାରିତ କରାଯାଇଥିବା ସମୟରେ GATE-2022 ପରୀକ୍ଷା ଅନୁଷ୍ଠିତ ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗେଟ୍-୨୦୨୨ ପରୀକ୍ଷାକୁ ଘୁଞ୍ଚାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଯାଇଥିଲା । କିନ୍ତୁ ଏହି ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।
ସୂଚନାଯୋଗ୍ୟ ଯେ ଗେଟ୍-୨୦୨୨ ପରୀକ୍ଷା ଫେବ୍ରୁଆରୀ ୫, ୬, ୧୨ ଓ ୧୩ରେ ଅନୁଷ୍ଠିତ ହେବ । ଚଳିତ ଥର ଗେଟ୍ ପରୀକ୍ଷା ପାଇଁ ପ୍ରାୟ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ତେବେ ଗେଟ୍-୨୦୨୨ ପରୀକ୍ଷା ସ୍ଥଗିତ କରିବା ପାଇଁ ସୁପ୍ରିମକୋର୍ଟରେ ଦୁଇଟି ପିଟିସନ ଦାୟର ହୋଇଥିଲା । ତେବେ ଏହି ଉଭୟ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।