ନୂଆଦିଲ୍ଲୀ: ଏବେ ନାକରେ ଦିଆଯାଇ ପାରିବ ବୁଷ୍ଟର ଡୋଜ । ଭାରତ ବାୟୋଟେକ୍ ଦ୍ଵାରା ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) ମଞ୍ଜୁରୀ ଦେଇଛି। ଡିସେମ୍ବରରେ ଭାରତ ବାୟୋଟେକ୍ କୋଭିଡ୍ ଟିକାର ବୁଷ୍ଟର ଡୋଜ୍ର ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ପାଇଁ ଆବେଦନ କରିଥିଲା। ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ସେବା ମହାନିର୍ଦ୍ଦେଶଳୟ ଅନୁଯାୟୀ, ୯ଟି ସ୍ଥାନରେ ଏହି ଭ୍ୟାକ୍ସିନର ତୃତୀୟ ପର୍ୟ୍ୟାୟ ପରୀକ୍ଷଣ କରାଯିବ। ଏହି ଟିକା ପ୍ରଥମ ନାଜାଲ ଟିକା, ଯାହାକୁ ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ପାଇଁ ମଞ୍ଜୁରୀ ମିଳିଛି। ଆବେଦନରେ ଭାରତ ବାୟୋଟେକ୍ ଡବଲ ଡୋଜ୍ ନେଇ ସାରିଥିବା ଲୋକଙ୍କ ନାକରେ ବୁଷ୍ଟର ଡୋଜ୍ର ପରୀକ୍ଷଣ କରିବାକୁ ପ୍ରସ୍ତାବ ଦେଇଥିଲା। ଭାରତ ବାୟୋଟେକ୍ ମତରେ ଭ୍ୟାକ୍ସିନର ଡବଲ୍ ଡୋଜ୍ ନେଇ ସାରିଥିବା ଅଢେଇ ହଜାର ଲୋକଙ୍କ ଠାରେ ଏହି ଭ୍ୟାକ୍ସିନର କ୍ଲିନିକଲ ଟ୍ରାଏଲ କରାଯିବ। ବିଶେଷଜ୍ଞଙ୍କ ଅନୁଯାୟୀ, ଦେଶରେ ଓମିକ୍ରନ ଭାରିଆଣ୍ଟ ମଧ୍ୟରେ ଏହି ଟିକା ବେଶ୍ ଫଳପ୍ରଦ ରହିପାରେ। କିଛି ରିପୋର୍ଟରେ ଦର୍ଶାଯାଇଛି ଯେ, ନାକରୁ ଦିଆଯିବାକୁ ଥିବା ଟିକା ଓମିକ୍ରନ ଭାରିଆଣ୍ଟରୁ ସୁରକ୍ଷା ଦେଇ ପାରିବ।