ଫିଲ୍ମ ‘ଉଞ୍ଚାଇ’ରେ ବିଗ୍‌ ବି’ଙ୍କ ସହ ନଜର ଆସିବେ ପରିଣୀତି

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଉଞ୍ଚାଇ’ରେ ଦେଖିବାକୁ ମିଳିବ ବୋଲି ଶୁଣାଯାଉଛି ।

(ମୁମ୍ବାଇ) : ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଉଞ୍ଚାଇ’ରେ ଦେଖିବାକୁ ମିଳିବ ବୋଲି ଶୁଣାଯାଉଛି । ସବୁଠୁ ବଡ଼ କଥା ହେଲା ସେ ଫିଲ୍ମରେ ମହାନାୟକ ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିବେ । ସେଥିରେ ପରିଣୀତିଙ୍କର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ରହିବ । ଫିଲ୍ମ ସହ ଜଡ଼ିତ ଜଣେ ଘନିଷ୍ଠ ସୂତ୍ର କହିଛନ୍ତି, ବଡ଼ଜାତ୍ୟାଙ୍କ କ୍ୟାମ୍ପ ପକ୍ଷରୁ ପରିଣୀତିଙ୍କ ସହ ଏଥିପାଇଁ ସଂପର୍କ କରାଯାଇଛି । ପରିଣୀତି, ଅମିତାଭଙ୍କ ସହ ଏଥିରେ ଅଭିନେତା ଅନୁପମ ଖେର, ନୀନା ଗୁପ୍ତା, ବୋମନ ଇରାନୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ନେପାଳର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯିବ। ଏପରିକି ଅକ୍ଟୋବର ୫ ତାରିଖରୁ ସୁଟିଂ ଆରମ୍ଭ ହୋଇପାରେ ବୋଲି ବି କୁହାଯାଉଛି ।

ସୂଚନାନୁଯାୟୀ , ପରିଣୀତି ଆଗକୁ ‘ଆନିମଲ୍‌’ରେ ବି ନଜର ଆସିବେ । ସେଥିରେ ତାଙ୍କ ସହ ରଣବୀର କପୁର ଓ ଅନୀଲ କପୁରଙ୍କୁ ଦେଖିବାକୁ ମିଳିବ । ଏହାଛଡ଼ା ବରୁଣ ଧୱନ୍‌ଙ୍କ ସହ ଏକ ଫିଲ୍ମରେ ସେ ନଜର ଆସିପାରନ୍ତି ।ବୃଦ୍ଧାବସ୍ଥାରେ ଅତୁଟ ବନ୍ଧୁତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ । ଏଥିରେ ଅମିତାଭ, ଅନୁପମ ଓ ବୋମନଙ୍କୁ ତିନି ପୁରୁଣା ବନ୍ଧୁ ଭୂମିକାରେ ଦେଖିବାକୁ ମିଳିବ । ତେବେ ନୀନା ଓ ପରିଣୀତିଙ୍କର ଭୂମିକା କ’ଣ ରହିବ ତାହା ଜଣାପଡ଼ିନାହିଁ ।