ଭୁବନେଶ୍ବର : ୩ ଦିନର ଅଚଳାବସ୍ଥା ପରେ ବିଧାନସଭାରେ ଆଜି ଗୃହକାର୍ୟ୍ୟ ସ୍ୱାଭାବିକ ହୋଇଛି। ଆଜି ପ୍ରଶ୍ନକାଳ ସ୍ୱାଭାବିକ ହୋଇଛି। ବିଧାନସଭାର ପ୍ରଶ୍ନକାଳରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ଦେଇ କହିଛନ୍ତି, କର୍ମଜୀବୀ ମହିଳାମାନଙ୍କ ପାଇଁ ହଷ୍ଟେଲ ପ୍ରତିଷ୍ଠା କରାଯିବା ପାଇଁ ପଦକ୍ଷେପ ନିଆଯାଉଛି । ସୁନ୍ଦରଗଡ଼, ଯାଜପୁର ଓ ଖୋର୍ଦ୍ଧାରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଖୁବ୍ ଶୀଘ୍ର ୫ ଜିଲ୍ଲାରେ ପ୍ରତିଷ୍ଠା ହେବ କର୍ମଜୀବୀ ମହିଳା ହଷ୍ଟେଲ । ସୁନ୍ଦରଗଡ଼, ଯାଜପୁର, ଖୋର୍ଦ୍ଧା, ବ୍ରହ୍ମପୁର ଓ ରାୟଗଡ଼ାରେ ୧୦୦ ଶଯ୍ୟାର ହଷ୍ଟେଲ ପାଇଁ ଜମି ଚିହ୍ନଟ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।
୧୧ ଟି ଶିଳ୍ପାଞ୍ଚଳରେ କେନ୍ଦ୍ରୀୟ ଯୋଜନାରେ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଛି। କଟକରେ ବକ୍ସିବଜାର, ବଜ୍ରକବାଟି ରୋଡ ସହ ୪ ଟି ସ୍ଥାନରେ କର୍ମଜୀବୀ ମହିଳାଙ୍କ ରହିବା ପାଇଁ ବିଭିନ୍ନ ଅନୁଷ୍ଠାନ ଥିବା ବେଳେ ଆବଶ୍ୟକତା ଦୃଷ୍ଟିରୁ ହଷ୍ଟେଲ ନିର୍ମାଣ କରାଯିବ।
ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ କର୍ମଜୀବୀ ମହିଳା ହଷ୍ଟେଲ ଗଠନ ନେଇ ରିପୋର୍ଟ ମଗାଯାଇଛି । ୩୫ ହଜାର ଟଙ୍କାରୁ କମ୍ ଦରମା ପାଉଥିବା କର୍ମଜୀବୀ ମହିଳାମାନେ ଏହି ହଷ୍ଟେଲରେ ରହିବେ। ହଷ୍ଟେଲର ପରିଚାଳନା ପାଇଁ ଜିଲ୍ଲାପାଳ କମିଟି ଗଠନ କରିବେ। ଏହି କମିଟି ହଷ୍ଟେଲର ପରିଚାଳନା କରିବେ।