ନୂଆଦିଲ୍ଳୀ ୭/୬: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଏବଂ ଦୀର୍ଘ ସମୟ ଧରି ଦଳକୁ ଫେରିନଥିବା ହରଭଜନ ସିଂହ ନିଜର ବିବାଦୀୟ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ କ୍ଷମା ମାଗିଛନ୍ତି। ଭଜ୍ଜି ସୋସିଆଲ ମିଡିଆରେ ଏନେଇ ସେୟାର କରିଛନ୍ତି। ସେ ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ଅପରେସନ ବ୍ଲୁ ଷ୍ଟାରର ୩୭ ବର୍ଷ ପୂର୍ତ୍ତି ଅବସରରେ ମନ୍ଦିର ଭିତରେ ମୃତ୍ୟୁବରଣ କରିଥିବା ଜେନେରାଲ ସିଂହ ଭିଣ୍ଡରଓ୍ବାଲେକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ତାକୁ ଶହୀଦ ବୋଲି କହିଥିଲେ ।
ଭଜ୍ଜି କ୍ଷମା ମାଗିବା ସହ ଲେଖିଛନ୍ତି ଭାରତ ପାଇଁ ସେ ୨୦ ବର୍ଷ ଝାଳ-ଲୁହ ବୁହାଇଛି। ଯିଏ ଭାରତ ବିରୋଧରେ ଯିବ ତାକୁ ସମର୍ଥନ କରିବେ ନାହିଁ ବୋଲି ମଧ୍ୟ ଭଜ୍ଜି ଲେଖିଛନ୍ତି। ତେବେ ଭଜ୍ଜି ଇନଷ୍ଟାଗ୍ରାମ ପେଜ୍ରେ ସ୍ପଷ୍ଟ ଭାବେ ଭିଣ୍ଡରଓ୍ବାଲେର ନାଁ ନେଇନଥିଲେ। ୧ ଜୁନ୍ରୁ ୮ ଜୁନ୍ ୧୯୪୮ରେ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ଅପରେସନ ବ୍ଲୁ ଷ୍ଟାର ସଫଳ ହୋଇଥିଲା। ଏହି ଅପରେସନ ଭାରତୀୟ ସେନା ଦ୍ବାରା କରାଯାଇଥିଲା।
ହରଭଜନ କ୍ଷମା ମାଗି ଲେଖିଛନ୍ତି, ‘ମୁଁ କାଲି ଇନଷ୍ଟାଗ୍ରାମରେ ଯେଉଁ ପୋଷ୍ଟ କରିଥିଲି ସେଥିପାଇଁ କ୍ଷମା ମାଗୁଛି। ଏହା ଏକ ହ୍ବାଟସଆପ୍ ଫରଓ୍ବାର୍ଡ ମେସେଜ୍ ଥିଲା। ଯାହାକୁ ଜଳଦିରେ ବୁଝିବା ବିନା ପୋଷ୍ଟ କରିଥିଲି।’ ସେ ଆହୁରି ମଧ୍ୟ ଲେଖିଛନ୍ତି, ଫଟୋରେ ଥିବା କୌଣସି ଲୋକକୁ ସମର୍ଥନ କରୁନାହିଁ। ଦେଶ ପାଇଁ ମୁଁ ୨୦ ବର୍ଷ ଖେଳିଛି। ମୁଁ ଜଣେ ଶିଖ , ଯିଏ ଦେଶ ପାଇଁ ଲଢ଼ିବ ତାକୁ ସମର୍ଥନ କରିବି। କାହା ମନରେ ଆଘାତ ଦେବା ମୋର ଲକ୍ଷ୍ୟ ନୁହେଁ। ମୁଁ ନିଃସର୍ତ୍ତ କ୍ଷମା ମାଗୁଛି। ଦେଶବାସୀଙ୍କ ବିରୋଧରେ କୌଣସି ଗ୍ରୁପ୍କୁ ସପୋର୍ଟ କରିନି କି ଆଗକୁ କରିବି ନାହିଁ ।