ସ୍କୁଲରେ ଭୟଙ୍କର ବୋମା ବିସ୍ଫୋରଣ:୨୫ ଜଣଙ୍କ ମୃତ୍ୟୁ, ୫୨ ଗୁରୁତର

ରିପୋଟର୍ସଟୁଡେ: କ୍ଳାସ୍‌ରେ ଚାଲିଥିଲା ପାଠପଢା । ହଠାତ୍‌ ଭୟଙ୍କର ବିସ୍ଫୋରଣରେ ଥରିଉଠିଲା ସାରା ଅଞ୍ଚଳ ଆଉ ନିମିସକେ ଛାରଖାର ହୋଇଗଲା ସ୍କୁଲ । ଆଫଗାନିସ୍ତାନ ରାଜଧାନୀ କାବୁଲରେ ବଡ ଧରଣର ବିସ୍ଫୋରଣ ଘଟିଛି । ଭୟଙ୍କର ବିସ୍ଫୋରଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ଥିବା ଜଣାପଡିଛି । ଆଫିଗାନିସ୍ତାନ ସରକାରଙ୍କ ପ୍ରବକ୍ତା ଏ ନେଇ ସୂଚନା ଦେଇଛନ୍ତି ।

ଘଟଣାରେ କେଉଁମାନେ ସଂପୃକ୍ତ ​‌ସେ ନେଇ କୌଣସି ସୂଚନା ମିଳିନଥିବା ବେଳ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ଆତଙ୍କବାଦୀମାନେ ଏଭଳି ବିସ୍ଫୋରଣ ଘଟାଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ କୌଣସି ଆତଙ୍କୀ ସଂଗଠନ ଏ ନେଇ ନିଜ ସଂଗଠନକୁ ଦାୟୀ କରିନାହାନ୍ତି ।

ଆଫଗାନିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । କାରଣ ବିସ୍ଫୋରଣ ଏ​‌ତେ ଭୟଙ୍କର ଥିଲା ଯେ ହଠାତ୍‌ ସମସ୍ତଙ୍କୁ ବାହାରକୁ ବାହାରିବା ସମ୍ଭବପର ହୋଇନଥିଲା । ବିସ୍ଫୋରଣରେ ସ୍କୁଲର ଛାତ ଭୁଶୁଡିପଡିବାରୁ ଛାତ ତଳେ ଚାପି ହୋଇ ଅନେକ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଛି ।

ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଥିଲା । ଘଟଣାରେ କେଉଁ ସଂଗଠନ ସଂପୃକ୍ତ ଅଛି ଏବଂ ନିରୀହ ଛାତ୍ରଛାତ୍ରୀଙ୍କୁ ହତ୍ୟା କରିବା ପଛରେ କଣ କାରଣ ରହିଛି ସେ ନେଇ ତଦନ୍ତ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।