ନୂଆଦିଲ୍ଲୀ: ନାସାର ରୋଭର ପର୍ସିଭିରନ୍ସ ସଫଳତାର ସହ ମଙ୍ଗଳପୃଷ୍ଟ ଛୁଇଁବା ପରେ ନାସା ରଚିଛି ଇତିହାସ । ଏହି ସଫଳତା ଉପରେ ରହିଥିଲା ସାରା ବିଶ୍ୱର ନଜର । ତେବେ ଏହି ସଫଳତା ଭାରତୀୟଙ୍କ ପାଇଁ ଆଣିଛି ଗୌରବ । କାରଣ ନାସାର ମଙ୍ଗଳ ମିଶନ୍ରେ ଜଣେ ଭାରତୀୟ ବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଭାରତୀୟ ବୈଜ୍ଞାନିକ ଡାକ୍ତର ସ୍ୱାତୀ ମୋହନ ନାସାର ଏହି ମିଶନରେ ପ୍ରମୁଖ ଭୂମିକା ନେଇଛନ୍ତି । ମଙ୍ଗଳ ପୃଷ୍ଠରେ ରୋଭର୍ ଲ୍ୟାଣ୍ଡିଂ ପ୍ରକ୍ରିୟାର ତତ୍ୱାବଧାନ କରୁଥିଲେ ସ୍ୱାତୀ । ପର୍ସିଭିରନ୍ସ ରୋଭରର ନିର୍ମାଣ, ବିକାଶ ଓ ଏହାକୁ ମଙ୍ଗଳ କକ୍ଷରେ ପହଞ୍ଚାଇବା ଭଳି କିଛି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକୁ ବି ନିକଟରୁ ଅନୁଧ୍ୟାନ କରିଛନ୍ତି ସ୍ୱାତୀ । ସ୍ୱାତୀଙ୍କ ଜନ୍ମ ଭାରତରେ । ତେବେ ଶୈଶବାବସ୍ଥାରୁ ସେ ପରିବାର ସହ ଆମେରିକା ଚାଲଇଯାଇଥିଲେ । ପିଲା ଦିନରୁ ସ୍ୱାତୀଙ୍କ ସ୍ୱପ୍ନ ଥିଲା ବୈଜ୍ଞାନିକ ହେବେ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ କାମ କରିବେ । ପରବର୍ତ୍ତୀ ସମୟରେ ତାଙ୍କର ଏହି ସ୍ୱପ୍ନ ସାକାର ହୋଇଛି । ସେ ନାସାର ମଙ୍ଗଳ ଅଭିଯାନରେ ନିଜ ଦକ୍ଷତା ପ୍ରତିପାଦନ କରି ସାରା ବିଶ୍ୱକୁ ଆଣି ଦେଇଛନ୍ତି ଆନନ୍ଦ ।