ମାସେ ତିଷ୍ଠିଲାନି ନୂତନ ନିର୍ମିତ ରାସ୍ତା

(ଜୟନ୍ତ କୁମାର ସେଠୀ/ ଗୋପ): ମାସେ ଗଲା ନାହିଁ ୭୩ ଲକ୍ଷ ଟଙ୍କାରେ ନିର୍ମିତ ନୂଆ ରାସ୍ତା । କେଉଁ ଠାରେ ରାସ୍ତା ଦବି ଯାଇଛି ତ ଆଉ କେଉଁଠାରେ ରାସ୍ତାରୁ ପିଚୁ ଉଠିଗଲାଣି । ପୁରୀ ଜିଲ୍ଲା ଗୋପ ବ୍ଲକ ଷୋଳପୁର ଠାରୁ ମଦରଙ୍ଗକୁ ଯାଇଥିବା ଏହି ରାସ୍ତା ଉପରେ ପାଖାପାଖି ୫ଟି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ଗୋପ ଜଳସେଚନ ବିଭାଗ ପକ୍ଷରୁ ମାସକ ପୂର୍ବରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । କିନ୍ତୁ ଲଘୁଚାପ ଜନିତ ଲଗାଣ ବର୍ଷାରେ ଏହି ରାସ୍ତା ନଷ୍ଟ ହୋଇଯାଇଛି । ତେବେ ରାସ୍ତା ନିର୍ମାଣ ନିମ୍ନମାନର ହେବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି । ରାସ୍ତାରେ ଯାତାୟତ ବେଳେ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନକୁ ଏନେଇ ଜଣାଇଥିଲେ ବି କୌଣସି ସୂଫଳ ମିଳିନଥିବା କହିଛନ୍ତି । ତେବେ ନିମ୍ନମାନର ରାସ୍ତା ନିର୍ମାଣର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେହିପରି ଏଭଳି ରାସ୍ତା ଯାହାକି ନିମ୍ନମାନର କାମ ପାଇଁ ମାସେ ବି ତିଷ୍ଠିଲାନି ସେଥିପାଇଁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ଦାୟୀ ଠହରାଇଛନ୍ତି ସ୍ଥାନୀୟ ବିଜେପି କର୍ମୀ । ଆଗାମୀ ଦିନରେ ତଦନ୍ତ କରି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ କହିଛନ୍ତି ।