କେନାଲରେ ପାଣି ନାହିଁ, ପରିବାର ପ୍ରତିପୋଷଣ ଚିନ୍ତାରେ ଚାଷୀ

ତାରାକାନ୍ତ ନାୟକ/ ସାଲେପୁର: କେନାଲ ସଫେଇ ନାଁରେ ସରକାରୀ ଅର୍ଥ ହରିଲୁଟ। କେନାଲ ଅଛି ହେଲେ ପାଣି ଆସିପାରୁନାହିଁ। ବର୍ଷା ଅଭାଵ ସାଙ୍ଗକୁ କେନାଲରେ ପାଣି ଆସିନପାରିବାରୁ କ୍ଷେତରେ ହେଲାଣି ଗଜା ମରୁଡ଼ି। ଦୁର୍ଦ୍ଦିନରେ ଚାଷୀ ! ଏଭଲି ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ସାଲେପୁର କୃଷି ଜିଲ୍ଲା ଅଧିନ ୫ ହାଫ କେନାଲରେ। ମୁଖ୍ୟତଃ ନଇଗୁଂଆ, ସପନପୁର, କଣ୍ଟାସହିର ଶହଶହ ଚାଷୀ ଏହି କେନାଲ ପାଣି ଉପରେ ନିର୍ଭର କରିଥାଆନ୍ତି। କିନ୍ତୁ କେନାଲରେ ପାଣି ଆସୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏବେ ଚାଷୀ ବିଲରେ ଧାନ ରୁଆ କାମ କରୁଛି । ତେଣୁ ବିଲରେ ପାଣିର ଆବଶ୍ୟକତା ରହିଛି । କିନ୍ତୁ ବିଲରେ ପାଣି ନାହିଁ । କେନାଲ ସଫେଇ କାମ ଠିକରେ ନହେବାରୁ ଏପରି ଦୁର୍ଦ୍ଦଶା ଭୋଗୁଛି ଚାଷୀ ବୋଲି ଅଭିଯୋଗ ହେଉଛି । ଜଳ ଯୋଗାଣ ସଂସ୍ଥାର ମନମୁଖୀ କାମକୁ ନେଇ ଶହଶହ ଏକର ଚାଷ ଜମି ପାଣି ନ ପାଇ ପଡିଆ ପଡିବାକୁ ବସିଲାଣି । ଫଳରେ ଚାଷୀ କଣ ଚାଷ କରିବ ଓ କେମିତି ତାର ପରିବାର ପ୍ରତିପୋଷଣ କରିବ ଏହି ଚିନ୍ତାରେ ଘାରି ହେଉଛନ୍ତି ସ୍ଥାନୀୟ ଚାଷୀକୁଳ ।