ଗୌହାଟୀ: ଆସାମର ଗୌହାଟୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରୁଛି । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତେ ଛାତ୍ର ବୋଲି ଜଣାପଡିଛି।
ପୋଲିସ କହିବା ଅନୁସାରେ, ଜାଲୁକବାରି ଅନ୍ତର୍ଗତ ଡିସିପି ୱେଷ୍ଟ ଅଫିସ ନିକଟରେ ରାତି ପ୍ରାୟ ୧ଟା ବେଳେ ଟ୍ରକଟି ଦ୍ରୁତଗତିରେ ଯାଉଥିବା ବେଳେ ବୋଲେରୋକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ବୋଲେରୋରେ ଆସାମ ଇଞ୍ଜିନିୟରିଂ କଲେଜର ୧୦ଜଣ ଛାତ୍ର ଥିଲେ। ବୋଲେରୋଟି ହଠାତ୍ ରାସ୍ତାରେ ଡିଭାଇଡରରେ ବାଜି ବୁଲିପଡିବା ସହିତ ବିପରୀତ ପଟରୁ ଆସୁଥିବା ଟ୍ରକରେ ଧକ୍କା ଖାଇଥିଲା। ଇଞ୍ଜିନିୟରିଂ ଛାତ୍ରମାନେ ବୋଲେରୋଟି ଭଡ଼ା କରି ଗୌହ୍ଵାଟୀ ବିମାନ ବନ୍ଦର ଆଡୁ ଆସୁଥିଲେ। ବୋଲେରୋରେ ଥିବା ଛାତ୍ରଙ୍କ ମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଛି ଓ ୩ଜଣ ଆହତ ହୋଇଛନ୍ତି। ସେହିପରି ଟ୍ରକରେ ଥିବା ୩ ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ଗୌହାଟି ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ପ୍ରାଣହରାଇଥିବା ଛାତ୍ରଙ୍କ ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଗଭୀର ଶୋକବ୍ୟକ୍ତ କରିଛନ୍ତି।