ଗୁଜରାଟ ପାୱାଗଡ଼ ଶକ୍ତିପୀଠରେ ଅଘଟଣ; ରୋପ୍‌ୱେ ଛିଣ୍ଡି ୬ ମୃତ

ପଞ୍ଚମହଲ: ଗୁଜୁରାଟ ପଞ୍ଚମହଲରେ ବଡ ଅଘଟଣ । ମାଲବାହୀ ରୋପ୍‌ୱେ ଛିଣ୍ଡି ପଡ଼ିବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଦୁର୍ଘଟଣାରେ ୨ ଲିଫ୍ଟମ୍ୟାନ୍‌, ୨ ଶ୍ରମିକଙ୍କ ସହ ଅନ୍ୟ ୨ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଓ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପଞ୍ଚମହଲ କଲେକ୍ଟର ଏହି ଘଟଣା ନେଇ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗୁଜୁରାଟର ପଞ୍ଚମହଲ ଅଞ୍ଚଳରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ପାୱାଗଡ଼ରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି। ଆଜି ଅପରାହ୍ଣ ସମୟରେ ଏଠାରେ କାର୍ଗୋ ରୋପ୍‌ୱେ ହଠାତ୍ ଛିଣ୍ଡି ଖସି ପଡ଼ିବା କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ ଲିଫ୍ଟମ୍ୟାନ୍, ଦୁଇଜଣ ଶ୍ରମିକ ଏବଂ ଅନ୍ୟ ଦୁଇଜଣ ଥିବା ସୂଚନା ମିଳିଛି। ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଯାଇଛି । ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଦୁଃଖଦ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ପ୍ରଶାସନ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ଦୁର୍ଘଟଣାର କାରଣ ଖୋଜା ଆରମ୍ଭ କରାଯାଇଛି।