ଗୋପବନ୍ଧୁଙ୍କ ଜନ୍ମପୀଠ ବିକାଶ ଲକ୍ଷ୍ୟରେ ରାଜ୍ୟ ସରକାର, OUTRରେ 5T ସଚିବ ଭି.କେ. ପାଣ୍ଡିଆନ

ଭୁବନେଶ୍ୱର: ଗୋପବନ୍ଧୁଙ୍କ ଜନ୍ମଭୂମି ସୁଆଣ୍ଡୋ ଗସ୍ତ କରି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପଣ୍ଡିଆନ ।ତେବେ ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ପାଇଁ ୧୫ କୋଟି ୧୬ ଲକ୍ଷର ବ୍ୟୟ ଅଟକଳ କରାଯାଇଛି । ଗୋପବନ୍ଧୁଙ୍କ ଜନ୍ମପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ଘର, ଗାଁକୁ ରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ପାର୍କ ଆଦିର ବିକାଶ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ସଂଗ୍ରହାଳୟର ଘର ନିର୍ମାଣ ମଧ୍ୟ ସରିଛି । ବିଦ୍ୟୁତକରଣ ଏବଂ ଶେଷ ପର୍ଯ୍ୟାୟ କାର୍ଯ୍ୟ ଚାଲୁ ରହିଛି । ସେହିପରି ଆତିଥ୍ୟ କେନ୍ଦ୍ରର ବିଭିନ୍ନ ବିଭାଗ କାମ ମଧ୍ୟ ଚାଲୁ ରହିଛି । ଗୋପବନ୍ଧୁ ଦାସଙ୍କର ପ୍ରାୟ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି, ପୈତୃକ ଗୃହର ପୁନଃ ବିକାଶ ଆଦି କାର୍ଯ୍ୟ ମଧ୍ୟ ଚାଲିଛି ।

ଅନ୍ୟପକ୍ଷେ, ଭୁବନେଶ୍ବର ଘାଟିକିଆସ୍ଥିତ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବା ସିଇଟିର ନାମ ପରିବର୍ତ୍ତନ କରାଯାଇଛି । କ୍ୟାବିନେଟ୍ ଅନୁମୋଦନ କ୍ରମେ ଏହାର ନାମ ଓଡ଼ିଶା ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ବା OUTR ରଖାଯାଇଛି । ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ OUTR ଦ୍ବାରା ପରିଚାଳିତ ହେବେ ।ତେବେ ସୁଆଣ୍ଡୋରୁ ସମୀକ୍ଷା ଶେଷ କରି ଭୁବନେଶ୍ୱର ଘାଟିକିଆସ୍ଥିତ ଓଡ଼ିଶା ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ମୋଟ୍ ୬୧.୬୩ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ଏହି ନୂଆ ବିଶ୍ବବିଦ୍ୟାଳୟର ଆବଶ୍ୟକୀୟ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି 5T ସଚିବ । ଏହି ଗସ୍ତ ସମୟରେ 5T ସଚିବଙ୍କ ସହ ବିଭାଗୀୟ ସଚିବ ହେମନ୍ତ ଶର୍ମା ମଧ୍ୟ ଉପସ୍ଥିତ ଅଛନ୍ତି ।