ବ୍ୟୁରୋ : ଚେନ୍ନାଇ ମେରିନା ବେଳାଭୂମିରେ ଏୟାର ଶୋ’ ରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଭାରତୀୟ ବାୟୁସେନା ପକ୍ଷରୁ ଆୟୋଜିତ ଏୟାର ଶୋ’ ରେ ପ୍ରବଳ ଗରମ ଓ ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ଘଟିଥିବା ସୂଚନା । ପ୍ରାୟ ୧୨ ଲକ୍ଷ ଲୋକଙ୍କ ସମାଗମ ଭିତରେ ୨ ଶହରୁ ଅଧିକ ଦର୍ଶକ ଚେତା ହରାଇଥିଲେ । ତେବେ ଅଣନିଶ୍ୱାସୀ ଓ ଅଂଶୁଘାତ କାରଣରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦ରୁ ଅଧିକ ଲୋକ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରବିବାର ବାୟୁ ସେନାର ୯୨ତମ ବାର୍ଷିକ ଉତ୍ସବ ନିମନ୍ତେ ଏୟାର ଶୋ’ର ଆୟୋଜନ କରାଯାଇଥିଲା। ଶୋ’ ଦେଖିବା ପାଇଁ ସମୁଦ୍ର କୂଳରେ ଲକ୍ଷାଧିକ ଲୋକେ ପହଞ୍ଚିଥିଲେ। ତେବେ ଶୋ’ ସରିବା ପରେ ଲୋକଙ୍କ ଭିଡ ନିୟନ୍ତ୍ରଣ ଅତିକ୍ରମ କରିଥିଲା। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ତେବେ ସମୁଦ୍ରକୂଳ ନିକଟରେ ରହୁଥିବା ଲୋକେ ସହାୟତା ପାଇଁ ଆସିଥିଲେ। ସେଠାରେ ସମସ୍ୟାରେ ଥିବା ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇ ଦେଇଥିଲେ ।
ଅନ୍ୟପକ୍ଷେ ମେଟ୍ରୋ ଷ୍ଟେସନ ନିକଟରେ ମଧ୍ୟ ପ୍ରବଳ ଭିଡ ହୋଇଥିଲା। ଲୋକେ ନିଜ ନିଜ ଘରକୁ ଫେରିବା ପାଇଁ ଅନ୍ୟ ଷ୍ଟେସନ ଗୁଡିକରେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ। ଭିଡ ଏତେ ମାତ୍ରାରେ ହୋଇଥିଲା ଯେ, ସ୍ଥାନୀୟ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଦଳାଚକଟା ସ୍ଥିତି ଉପୁଜିଥିବାରୁ ଏଭଳି ଅଘଟଣ ହୋଇଥିବା ଜଣାପଡିଛି ।