ସର୍ଚ୍ଚ ଅପରେସନ ବେଳେ ୫ଟି ଲ୍ୟାଣ୍ଡମାଇନ ଉଦ୍ଧାର

ଛତିଶଗଡ଼- ଅଳ୍ପକେ ବର୍ତ୍ତିଲେ ଯବାନ । ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଯବାନ ନକ୍ସଲଙ୍କର ଏକ ବଡ଼ ଆକ୍ରମଣ ଯୋଜନାକୁ ବିଫଳ କରିଛନ୍ତି। ୫ଟି ଆଇଡି ନିଷ୍କ୍ରିୟ କରିଛି ସୁରକ୍ଷାବାହିନୀ । ଏରିଆ ଡୋମିନେସନ ଏବଂ ଡିମାଇନିଂ ପାଇଁ ମାନକେଲି ଅଭିମୁଖେ ଯାଉଥିବା ବେଳେ  ବିଜାପୁର ପୁଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଟିମ୍‌ ବିପଦର ସମ୍ମୁଖୀନ ହୋଇଥିଲେ ।

ସୂଚନା ଅନୁସାରେ ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଗୋରନା ଏବଂ ମନକେଲି ଗ୍ରାମ ମଧ୍ୟରେ ରହିଥିବା କଚ୍ଚା ରାସ୍ତାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ୫ଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଥିଲେ। ଏହି ରାସ୍ତା ଅତି ବିପଦପୂର୍ଣ୍ଣ ଥିବାରୁ ସୁରକ୍ଷାକର୍ମୀ ଅତି ସତର୍କତାର ସହ ଚାଲୁଥିବା ବେଳେ  ବୋମା ଯାଞ୍ଚ କରିବା ମେସିନ ଦ୍ବାରା ରାସ୍ତାର ବିଭିନ୍ନ ସ୍ଥାନରେ ୨କିଲୋ ଓଜନର ୩ଟି ଏବଂ ୫ କିଲୋ ଓଜନର ୨ଟି ବୋମା ଠାବ କରିଥିଲେ ଯାହାକୁ ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିଲା। ସୁରକ୍ଷା ବାହିନୀର ସତର୍କତା ଏବଂ ଉପସ୍ଥିତି ବୁଦ୍ଧି ଯୋଗୁଁ ଆଇଇଡି ଗୁଡିକୁ ଠାବ ପରେ ନିଷ୍କ୍ରିୟ କରାଯାଇଥିଲା ।