ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଳେ ୪ ଜଣ ଆତଙ୍କବାଦୀ
ଜମ୍ମୁ-କଶ୍ମୀରରେ ଆତଙ୍କବାଦୀକୁ ନିପାତ କରିବାକୁ ଚାଲିଛି ସର୍ଚ୍ଚ ଅପରେସନ ।
(ଜମ୍ମୁ-କଶ୍ମୀର) : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀକୁ ନିପାତ କରିବାକୁ ଚାଲିଛି ସର୍ଚ୍ଚ ଅପରେସନ । ଟାର୍ଗେଟ କିଲିଂ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ଜମ୍ମୁ-କଶ୍ମୀରରେ ଏବେ ସୁରକ୍ଷାକର୍ମୀମାନେ ଆତଙ୍କୀ ବିରୋଧୀ ଅପରେସନକୁ ଜୋରଦାର କରିଛନ୍ତି। ଏହି ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା।

ଗତ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ ଜଣ ଆତଙ୍କବାଦୀ। ସେହିପରି ଡ୍ରୋନ ଦ୍ୱାରା ବୋମା ମାଡ଼ କରିବାକୁ ସୀମା ସେପଟୁ ଚାଲିଥିବା ଉଦ୍ୟମକୁ ମଧ୍ୟ ପଣ୍ଡ କରି ଦେଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କ ଦୁଇଟି ପୃଥକ ଏନକାଉଣ୍ଟର୍ରେ ପ୍ରାଣ ହରାଇଥିବା ୪ ଆତଙ୍କୀଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ପାକିସ୍ତାନୀ। ନିହତ ୨ ପାକିସ୍ତାନୀ ଆତଙ୍କୀ ହେଲେ ତୁଫାଇଲ ଓ ହନଜୁଲା।

ଅନ୍ୟପକ୍ଷରେ ଅଖନୁର ସେକ୍ଟରର ଦୟାରନରେ ବିଏସ୍ଏଫ ଯବାନମାନେ ଗୋଟିଏ ଡ୍ରୋନକୁ ଗୁଳି କରି ଖସାଇ ଦେଇଛନ୍ତି। ଏହି ଡ୍ରୋନରେ ବୋମା ରହିଥିଲା। କିନ୍ତୁ ସୁରକ୍ଷାକର୍ମୀମାନେ କୌଣସି ଅଘଟଣ ଘଟିବା ପୂର୍ବରୁ ହମଲା ଉଦ୍ୟମକୁ ପଣ୍ଡ କରି ଦେଇଛନ୍ତି। ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଛି ଯେ ୨ ପାକିସ୍ତାନୀ ଆତଙ୍କୀ କୁପୱାଡା ଜିଲ୍ଲା ଚକତାରସ-କାଡି ଅଞ୍ଚଳରେ ଚାଲିଥିବା ଅପରେସନରେ ନିହତ ହୋଇଛନ୍ତି।