ଚିଲିକା: ଚିଲିକାରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିଛି ଭସା ପୋଲ, ଡଙ୍ଗା ସହ ସମସ୍ତ ଜଳଯାତ୍ରା । ସାମାନ୍ୟ ବଚସାକୁ କେନ୍ଦ୍ରକରି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ତିତିପ ଓ ଆଳୁପାଟଣା ମଧ୍ୟରେ ବିବାଦ ମଧ୍ୟରେ ଉଗ୍ରରୂପ ନେଇଛି । ସୂଚନା ମୁତାବକ, ୩୫ ମୈାଜା କମିଟିର ସମ୍ପାଦକ ବଟକୃଷ୍ଣ ତରେଇଙ୍କୁ ଆଳୁପାଟଣା ଗ୍ରାମର କିଛି ଯୁବକ ସାତପଡାରେ ମାଡ ମାରିବା ପରେ ଚିଲିକାରେ ବନ୍ଦ ରହିଛି ଜଳଯାତ୍ରା । ଫଳସ୍ୱରୂପ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହିତ ବ୍ରହ୍ମଗିରିରେ ଅଲାରନାଥ ଦର୍ଶନରୁ ବହୁ ଶ୍ରଦ୍ଧାଳୁ ବଞ୍ଚିତ ହେବା ସମ୍ଭାବନା ରହିଛି । ଗତ ମହାବିଷ୍ଣୁବ ସଂକ୍ରାକ୍ତିରେ ଦେଉଳପଡାରେ ଅନୁଷ୍ଠିତ ଦ୍ୱିତୀୟ ବାଲିଯାତ୍ରାରେ ଆଳୁପାଟଣା ଓ ତିତିପ ଗାଁର କିଛି ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା ।
ବିବାଦ ଘନେଇବାରୁ ୩୫ ମୈାଜା ସଭାରେ ଆଲୋଚନା ହୋଇଥିଲା, କିନ୍ତୁ ସମାଧାନ ହୋଇପାରିନଥିଲା । ଚିଲିକା ମଧ୍ୟରେ ଥିବା ୩୫ ମୈାଜାର ଲୋକେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ସାତପଡା ଦେଇ ଯାଇଥାନ୍ତି । ଏହାର ସୁଯୋଗ ନେଇ ଆଳୁପାଟଣା କିଛି ଯୁବକ ସାତପଡାରେ ୩୫ ମୈାଜାର ଲୋକଙ୍କୁ ମାଡ ମାରିଥିଲେ । କିନ୍ତୁ ସମାଧାନ ପାଇଁ ୩୫ ମୈାଜାର ନେତୃବୃନ୍ଦ ପ୍ରଶାସନ ସହଯୋଗ ନେଇଥିଲେ । ବହୁବାର ଆଲୋଚନା ପରେ ମଧ୍ୟ ବିବାଦର ସମାଧାନ ହୋଇ ପାରି ନଥିଲା । ଗତ ୧୬ ତାରିଖରେ ୩୫ ମୈାଜା କମିଟି ତରଫରୁ କିଛି ସଦସ୍ୟ ଏକ ଯାତ୍ରା ପାର୍ଟିକୁ ଆଡଭାନ୍ସ ଦେବା ପାଇଁ ଗମ୍ଭୀର ଗାଁ ଯାଇଥିଲେ ।
ସେଠାରେ ସମ୍ପାଦକ ବଟକୃଷ୍ଣ ତରେଇଙ୍କୁ ଆଳୁପାଟଣାର କିଛି ଯୁବକ ଗାଡିରୁ ଓହ୍ଲାଇ ଦେଇ ମାଡ ମାରିବା ସହିତ ତାଙ୍କୁ ଗାଁକୁ ନେଇ ଉତେଜନା ଆହୁରୀ ବଢିଥିଲା । ଏହାପୂର୍ବରୁ ତିତିପର ବୃନ୍ଦାବନ ବାରିକଙ୍କୁ ସାତପଡାରେ କିଛି ଲୋକ ଉଠବସ କରାଇଥିଲେ । ସେହିଭଳି ଇଆସପଦର , ଗଉଡନୂଆଗାଁର ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଚିଲିକା ଯାତ୍ରାରୁ ସାତପଡାରେ ଓହ୍ଲାଉଥିିବା ଲୋକଙ୍କ ଆଧାରକାର୍ଡ ଦେଖି ଚିହ୍ନଟ କରି ମାଡ ମାରୁଥିଲେ ମଧ୍ୟ ସାତପଡା ପୋଲିସ ନିରବ ରହୁଥିବା ଅଭିଯୋଗ ହୋଇଛି । ଏଭଳି ଅମାନୁଷିକ ଆଚରଣର ବିଚାର ନ ହେବା ପର୍ଯ୍ୟନ୍ତ ଚିଲିକାରେ ଜଳଯାତ୍ରାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ବ୍ଲକର ସମସ୍ତ କାର୍ଯ୍ୟାଳୟ ବନ୍ଦ କରିବା ପାଇଁ ୩୫ ମୈାଜା ତରଫରୁ ପ୍ରଶାସନକୁ ନିବେଦନ କରାଯାଇଥିବା ଜଣାପଡିଛି । ଏହାସହିତ ୩୫ ମୈାଜାର ୨୪୭୨ ପରିବାରକୁ ନ୍ୟାୟ ନ ମିଳିବା ଯାଉଁ ଜହ୍ନିକୁଦା ଘାଟରେ ଧାରଣା ଜାରି ରଖିବାକୁ ନିଷ୍ପତି ହୋଇଛି ।
୩୫ ମୈାଜା ସଭାପତି ଦାମୋଦର ବିସ୍ୱାଳ , ସମ୍ପାଦକ ବଟକୃଷ୍ଣ ତରେଇ , ଅଶୋକ କୁମାର ସାମନ୍ତସିଂହାର, ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ବିଜୟ କୁମାର ତରେଇ ପ୍ରମୁଖଙ୍କ ସମେତ ଶତାଧିକ ଲୋକ ଧାରଣରେ ବସିଛନ୍ତି । ତହସିଲଦାର ଉଲ୍ଲାସ କୁମାର ସେଠୀ, ବିଡିଓ ମନୋଜ କୁମାର ନାୟକ, କୃଷ୍ଣପ୍ରସାଦ ଥାନା ଇନସ୍ପେକ୍ଟର ଦିଲ୍ଲୀପ କୁମାର ସ୍ୱାଇଁ ୩୫ ମୈାଜା ନେତାଙ୍କ ସହ ଆଲୋଚନା କରିଛନ୍ତି । ରଥଯାତ୍ରା ପରେ ଆଲୋଚନା କରିବା ପାଇଁ ପ୍ରଶାସନ ସମୟ ମାଗିଥିବା ବେଳେ କମିଟି ରାଜି ହୋଇ ନାହିଁ । ଏ ସଂକ୍ରାନ୍ତରେ ତହସିଲ୍ଦାର ପଚାରିବାରୁ ସେ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଗୋଚର କରିଥିବା କହିଛନ୍ତି ।