ସମ୍ପତ୍ତି ତାଲିକା ସାର୍ବଜନୀନ କଲେ ସିଜେଆଇଙ୍କ ସମେତ ୩୦ ବିଚାରପତି

ବ୍ୟୁରୋ-: ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି ତାଲିକା । ୩୦ ଜଣ ବିଚାରପତି ସମ୍ପତ୍ତି ସାର୍ବଜନୀନ କରିବାକୁ ନିଷ୍ପତ୍ତି ହୋଇଛି । ସୁପ୍ରିମକୋର୍ଟ ୱେବସାଇଟ୍ ରେ ବିଚାରପତିଙ୍କ ସମ୍ପତ୍ତି ତାଲିକା ରହିବ । କୋର୍ଟ ୱେବସାଇଟ୍‌ରେ ବି ରହିବ ପ୍ରଧାନ ବିଚାରପତିଙ୍କ ସମ୍ପତ୍ତି । ଏନେଇ ଗତ ୧ରେ ଫୁଲ୍ କୋର୍ଟ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।

ସ୍ୱଚ୍ଛତା ଏବଂ ନ୍ୟାୟପାଳିକା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ସୁପ୍ରିମକୋର୍ଟର ସମସ୍ତ ବିଚାରପତି ସେମାନଙ୍କର ସମ୍ପତ୍ତି ଘୋଷଣା ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛନ୍ତିସ । ଏଣିକି ପ୍ରଧାନ ବିଚାରପତିଙ୍କୁ ବି ନିଜର ସମ୍ପତ୍ତି ତାଲିକା ଘୋଷଣା କରିବାକୁ ହେବ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ବିଚାରପତିମାନେ ପଦବୀ ସମ୍ଭାଳିବା ମାତ୍ରେ ନିଜ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ସାର୍ବଜନୀନ କରିବା ଉଚିତ । ପ୍ରଧାନ ବିଚାରପତି ଏବଂ ବିଚାରପତି ନିଜ ସମ୍ପତ୍ତି ତାଲିକା ସ୍ବଇଚ୍ଛାରେ ସୁପ୍ରିମକୋର୍ଟ ୱେବସାଇଟରେ ସାର୍ବଜନୀନ କରିବେ । ବର୍ତ୍ତମାନ ସମୟରେ ସିଜେଆଇଙ୍କ ସମେତ ସୁପ୍ରିମକୋର୍ଟଙ୍କ ମୋଟ ୩୦ ଜଣ ବିଚାରପତି ନିଜ ନିଜ ସମ୍ପତ୍ତି ତାଲିକା ସାର୍ବଜନୀନ କରିଛନ୍ତି । ସେମାନଙ୍କ ମଧ୍ୟରେ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ସମେତ ବିଚାରପତି ବି.ଆର.ଗୋଭଇ, ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଅଭୟ ଏସ. ଓକ୍‌ ପ୍ରମୁଖ ରହିଛନ୍ତି ।

ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରୁଥିବା ସମୟରେ ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ସରକାରୀ ପରିସରରେ ନଗଦ ଆବିଷ୍କାର ହୋଇଥିବା ଅଭିଯୋଗକୁ ନେଇ ବିବାଦ ପରେ ଏହି ନିଷ୍ପତ୍ତି ନିଆଯାଇଛି ।