ଉଦଳା-: ଥାନା ଆଗରେ ମୟୂରଭଞ୍ଜ କପ୍ତିପଦା ଅତିରିକ୍ତ ତହସିଲଦାର ଭୀମସେନ ମାଝୀଙ୍କୁ ନିର୍ଘାତ ମାଡ଼ ମାରିବା ସହ ପଥର ଛେଚି ତାଙ୍କ କାର୍ ଭାଙ୍ଗିବା ଘଟଣାରେ ୩ ବାଲି ମାଫିଆଙ୍କୁ ଗିରଫ କରିଛି ପୋଲିସ । ଗିରଫ ୩ ଜଣ ହେଲେ କପ୍ତିପଦା ଅଞ୍ଚଳର ଆକାଶ ନାୟକ, ମାନସ କୁମାର ପୁହାଣ ଓ ରଜତ କୁମାର ମହାନ୍ତି । ମରଣାନ୍ତକ ଆକ୍ରମଣ ଘଟଣାର ୨ ଦିନ ପରେ ଏହି ୩ ଜଣଙ୍କୁ ପୋଲିସ ଗିରଫ କରି ପଚରାଉଚରା କରିଛି । ସଂଘବଦ୍ଧ ଆକ୍ରମଣ ସମୟର ଭିଡିଓ ସାମ୍ନାକୁ ଆସିବାପରେ ତାକୁ ଆଧାର କରି ଘଟଣାରେ ଏବେ ଯାଏଁ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।
ଦବଙ୍ଗ ଅଫିସର୍ ଭାବେ ପରିଚିତ ଭୀମକାନ୍ତ ମାଝୀ ବେଆଇନ ବାଲି ଚାଲାଣ ରୋକିଥିଲେ । ଅତର୍କିତ ଭାବେ ଚଢ଼ାଉ କରି ନଦୀ ଭିତରେ ପଶି ବାଲିଚାଲାଣ ରୋକିବା ସହ ଏକାଧିକ ଟ୍ରାକ୍ଟର ଓ ଟ୍ରକ ଜବତ କରିଥିଲେ । ଯେଉଁଥିପାଇଁ ତାଙ୍କୁ ମାଫିଆଙ୍କ ଅକ୍ରୋଶର ଶିକାର ହେବାକୁ ପଡ଼ିଛି । ଗତ ରବିବାର ଭୋର ସମୟରେ ଚଢ଼ାଉରେ ଯିବା ପାଇଁ ଏନଫୋର୍ସମେଣ୍ଟ୍ ଗାଡ଼ି ନେବାକୁ ଆସିଥିଲେ ଅତିରିକ୍ତ ତହସିଲଦାର । ଏହି ସମୟରେ ୨୦ରୁ ୨୫ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ଆଉ ଜୀବନ ବଞ୍ଚାଇ କପ୍ତିପଦା ଥାନା ପାଖକୁ ପଳାଇଥିଲେ ଅଧିକାରୀ । ହେଲେ ଅଭିଯୁକ୍ତମାନେ ଥାନାରେ ସାମ୍ନାରେ ବି ତାଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ । ପୋଲିସ ଏହି ଘଟଣାରେ ଏବେ ସୁଦ୍ଧା ୩ ଜଣଙ୍କୁ ଗିରଫ କରିଥିବା ବେଳେ ୧୫ରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।