ଘାଟିରୁ ଖସିଲା କାର, ଅକାଳରେ  ଚାଲିଗଲା ଗୋଟିଏ ପରିବାରର ତିନି ଜୀବନ

କୋରାପୁଟ/ସୁନ୍ଦର କୁମାର ପାଣି : ବୁଲିବାକୁ ଯିବା ହେଲା କାଳ । ଅକାଳରେ  ଚାଲିଗଲା ଗୋଟିଏ ପରିବାରର ତିନି ଜୀବନ । ଏମିତି ହୃଦୟବିଦାରକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ଯୋଡ଼ିମାଡଦିଲି ନିକଟରେ । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ପଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଗୋଟେ ପରବାରର ୪ଜଣ ଆଜି ସକାଳୁ ଏକ କାରରେ ଛତିଶଗଡ଼ ରାଜଗାଓଁରୁ ବିଶାଖାପଟଣା ବୁଲିବାକୁ ଯାଉଥିଲେ । ଯିବା ବାଟରେ ଯୋଡିମାଡ଼ିଲି ନିକଟ ଘାଟିରେ କାରଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକେ ଏବଂ ପୋଲିସ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଅନ୍ୟପଟେ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି କୁହାଯାଉଛି ।