ମେଡିକାଲ ପ୍ରବେଶିକା ପରୀକ୍ଷା ନିଟରେ ଜାଲିଆତି କରି ୩ ଗିରଫ

ଭଦ୍ରକ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ ରେ ଜାଲିଆତି କରି ୩ ଗିରଫ । ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ଦେଉଥିଲେ ପରୀକ୍ଷା । ଏମିତି ନକଲି ପରୀକ୍ଷାର୍ଥୀ ଙ୍କୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ।ସୂଚନା ଅନୁଯାୟୀ, ନିଟ(NEET)-୨୦୨୪ ପରୀକ୍ଷା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)ର ନିର୍ଦ୍ଦେଶାବଳୀ ଅନୁଯାୟୀ ଭଦ୍ରକ ଜିଲ୍ଲାର ଅନେକ ନିର୍ଧାରିତ କେନ୍ଦ୍ରରେ କରାଯାଇଥିଲା । ଭଦ୍ରକ ଏସବିଡ଼ି ଇଣ୍ଟରନେସନଲ ସ୍କୁଲ ବି ଜିଲ୍ଲାର ଅନ୍ୟତମ କେନ୍ଦ୍ର ଥିଲା । ଯେଉଁଠି ଗତ ୦୫.୦୫.୨୦୨୪ ରେ NEET- ୨୦୨୪ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ସମୟରେ ଆଡମିନିଷ୍ଟ୍ରେଟିଭ୍ ଅଫିସର ଜଣେ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ କରିବାକୁ ପ୍ରିନ୍ସିପାଲଙ୍କ ଠାରୁ ଏକ କଲ ପାଇଲେ। ଯାହାର ରୋଲ୍ ନମ୍ବରବ ୩୬୧୯୦୭୦୩୦୩ ଏବଂ ନାମ ଶାଶ୍ୱତ ତ୍ରିପାଠୀ। ଆଧାର ବିବରଣୀ ଯାଞ୍ଚ ପରେ ଏହା ନିଶ୍ଚିତ ହୋଇଥିଲା ଯେ ପରୀକ୍ଷାର୍ଥୀ ଜଣଙ୍କ ଶାଶ୍ୱତଙ୍କ ନାମରେ ଜାଲିଆତି କରି ଅଙ୍କିତ ରାଜ (୨୨) ପିତା- ଧନଞ୍ଜୟ ପ୍ରସାଦ ନାମରେ ପରୀକ୍ଷାରେ ଛଦ୍ମନାମ କରି ପ୍ରତାରଣା କରିଛନ୍ତି।
ଉପଯୁକ୍ତ ଅନୁସନ୍ଧାନ ପରେ ଏହା ଜଣାପଡ଼ିଥିଲା ଯେ, ଅଙ୍କିତ ରାଜ ୨୦୨୧ ରେ NEET କ୍ଵଲିଫାଇ କରି ସମ୍ପ୍ରତି ବର୍ତ୍ତମାନ ସେ କୋଲକାତା ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର ଭାବେ ଅଧ୍ୟୟନ କରୁଛନ୍ତି। ପରୀକ୍ଷାରେ ଯୋଗଦେବା ପାଇଁ ତାଙ୍କୁ ଜଣେ ଆଦିତ୍ୟ କୁମାରଙ୍କ ମାଧ୍ୟମରେ ଶାଶ୍ୱତ ତ୍ରିପାଠୀଙ୍କ ପାଇଁ ପରୀକ୍ଷା ଦେବାକୁ ଅଙ୍କିତ ରାଜଙ୍କୁ ରାଜି କରାଯାଇଥିଲା । ଏ ବାବଦରେ ଅଙ୍କିତଙ୍କୁ ୧୦ ଲକ୍ଷ ଟଙ୍କାର ଡିଲ ଦିଆଯାଇଥିଲା। ସେ ଟ୍ରେନ ଯୋଗେ ୦୪.୦୫.୨୦୨୪ ରେ ଭଦ୍ରକକୁ ଆସିଥିଲେ ଏବଂ ତାଙ୍କୁ ରେଳ ଷ୍ଟେସନରେ ରାଜେଶ କୁମାର ମଧୁକର ଓ ପ୍ରେମଶଙ୍କର ପାଣ୍ଡେ ଦୁଇ ଜଣ ବ୍ୟକ୍ତି ରିସିଭ କରିଥିଲେ। ତା’ପରେ ୫.୫.୨୦୨୪ ରେ ସେ ଅନ୍ୟ ତିନି ଅଭିଯୁକ୍ତଙ୍କ ସହ ପରୀକ୍ଷା ପାଇଁ ଯାଇଥିଲେ ।
ତେବେ ଜାଞ୍ଚ ବେଳେ ପୋଲିସ ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି । ଗିରଫଙ୍କ ମଧ୍ୟରେ ବିହାର ଅଞ୍ଚଳର ଅଙ୍କିତ ରାଜ, ମଧ୍ୟସ୍ଥି ବିହାରର ରାଜେଶ ମଧୁକର ଓ ବିହାରର ପ୍ରେମ ଶଙ୍କର ପାଣ୍ଡେ ଗିରଫ ହୋଇଛନ୍ତି । ତେବେ ଅଧିକ ତଦନ୍ତ ପାଇଁ ପୋଲିସ ସବତଶେଷ ତଥ୍ୟ ପ୍ରଦାନ କରିନାହିଁ ।