ୟୁଟ୍ୟୁବର୍‌ ଏଲ୍‌ଭିଶଙ୍କ ଘର ଉପରକୁ ଆଖିବୁଜା ଗୁଳି ମାଡ଼

ଗୁରୁଗ୍ରାମ: ପୁଣି ଚର୍ଚ୍ଚାରେ ୟୁଟ୍ୟୁବର୍ ଏଲଭିଶ୍ ଯାଦବ । ଏଥର କିନ୍ତୁ ୟୁଟ୍ୟୁବରଙ୍କ ସହ ଯୋଡି ହୋଇଛି ଏକ ଗ୍ୟାଙ୍ଗଷ୍ଟାର ନାମ । ଆଜ୍ଞା ହଁ । ମିଳିଥିବା ସୂଚନା ଅନୁସାରେ ଜଣାଶୁଣା ୟୁଟ୍ୟୁବର ତଥା ବିଗଗସ୍‌ ଓଟିଟି ବିଜେତା ଏଲ୍‌ଭିଶ ଯାଦବଙ୍କ ଘର ଉପରକୁ ହୋଇଛି ଏଭଳି କିଛି ଆଖିବୁଜା ଗୁଳିମାଡ। ଗୁରୁଗ୍ରାମ ସେକ୍ଟର ୫୭ ସ୍ଥିତ ୟୁଟ୍ୟୁବର୍‌ ଏଲ୍‌ଭିସ ଯାଦବଙ୍କ ଘର ଉପରକୁ ଗୁଳି ମାଡ଼ ହୋଇଛି। ୩ଜଣ ଦୁର୍ବୃତ୍ତ ଗୁଳି ମାଡ଼ କରି ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଗୁଳିକାଣ୍ଡ ବେଳେ ଏଲ୍‌ଭିସ ଘରେ ଉପସ୍ଥିତ ନ ଥିବା ଜଣାପଡିଛି।

ସୂଚନା ଅନୁସାରେ, ୩ଜଣ ବାଇକ୍‌ ଆରୋହୀ ଏଲ୍‌ଭିଶଙ୍କ ଘର ଉପରକୁ ୨୫ରୁ ୩୦ ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ଘରର ପ୍ରଥମ ମହଲାରେ ଗୁଳି ବାଜିଥିଲା। ଆକ୍ରମଣ ସମୟରେ ତାଙ୍କ କେୟାରଟେକର ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ହେଲେ ଗୁଳିକାଣ୍ଡରେ କୌଣସି ବ୍ୟକ୍ତି ମୃତାହତ ହୋଇ ନ ଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି। ଅଚାନକ ହୋଇଥିବା ଏଭଳି ଘଟଣାକୁ ନେଇ ସ୍ଥାନୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ପୂରା ଘରକୁ ପୁଲିସ ଘେରାବନ୍ଦୀ କରି ତଲାସୀ ଚଳାଇଛି।

ଘଟଣାସ୍ଥଳରୁ ଗୁଳିର ଖୋକା ଜବତ କରି ତଦନ୍ତ ଆରମ୍ଭ କରିଛି ପୁଲିସ। ଏହାସହ ସନ୍ଧିଗ୍ଧଙ୍କ ଯାଞ୍ଚ ପାଇଁ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ ଚାଲିଛି। ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ଲାଗିପଡିଛି। ଏଲ୍‌ଭିଶ ବର୍ତ୍ତମାନ ବିଦେଶରେ ଥିବା ଖବର ମିଳିଛି। ତେବେ ଘଟଣା ପଛରେ ଭାଉ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଦାବି କରାଯାଇଛି ଯେ, ବିଦେଶରେ ରହୁଥିବା ଦୁଇ ଗ୍ୟାଙ୍ଗଷ୍ଟାର ହିମାଂଶୁ ଭାଉ ଏବଂ ନୀରଜ ଫରିଦପୁରିଆ ଏଲଭିଶଙ୍କ ବାସଭବନରେ ଗୁଳି ଚଳାଇଛନ୍ତି। ୟୁଟ୍ୟୁବର୍‌ ଏଲଭିଶ ବେଆଇନ ବେଟିଂ ଆପ ପ୍ରଚାର କରୁଥିଲେ। ଫଳରେ ତାଙ୍କ ଘର ଉପରକୁ ଆକ୍ରମଣ କରାଯାଇଥିଲା ବୋଲି ଦାବି କରିଯାଇଛି।