Delhi Blast: ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣର ଲୋମଟାଙ୍କୁରା ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ବିସ୍ଫୋରଣ ଘଟଣାର ଏକ ନୂତନ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଯେଉଁଥିରେ ଲାଲକିଲ୍ଲା ନିକଟରେ ଯାନବାହାନ ଚଳାଚଳ କରୁଥିବା ରାସ୍ତାରେ ଏକ କାରରେ କିପରି ବୋମା ବିସ୍ଫୋରଣ ହୋଇଥିଲା ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଭିଡିଓରେ ପାର୍କିଂ ସ୍ଥାନ ଛାଡିବା ସମୟରେ ଏକ ଆଇ୨୦ କାର ବିସ୍ଫୋରଣ ହେଉଥିବା ନଜର ଆସୁଛି।

ଚାନ୍ଦନୀ ଚୌକ ଉପରେ ନଜର ରଖୁଥିବା ସିସି ଟିଭି କଣ୍ଟ୍ରୋଲ ରୁମ୍ ଦ୍ୱାରା ସନ୍ଧ୍ୟା ୬.୫୦ରେ ରେକର୍ଡ ହୋଇଥିବା ଏକ ଫୁଟେଜ୍ ବିସ୍ଫୋରଣର ଭୟଙ୍କର ଦୃଶ୍ୟକୁ ସ୍ପଷ୍ଟ ଭାବରେ ଦର୍ଶାଉଛି। ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଶକ୍ତିଶାଳୀ ବିସ୍ଫୋରଣ ହୋଇ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ପ୍ରାୟ ୩୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିଲେ।

ସେପଟେ ଦିଲ୍ଲୀ ବିସ୍ଫୋରଣକୁ ନେଇ ପୋଲିସ ହାତରେ ଲାଗିଛି ବଡ ସୁରାକ୍ । ସାହାରନପୁର ଏବଂ ଫରିଦାବାଦରୁ ଗିରଫ ହୋଇଥିବା ୨ ଆତଙ୍କୀଙ୍କୁ ନେଇ ବଡ ଖୁଲାସା କରିଛି ତଦନ୍ତକାରୀ ଦଳ । ସୂଚନା ଅନୁସାରେ, ଆଦିଲ ଅହମ୍ମଦ ଏବଂ ମୁଜାମ୍ମିଲ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ପାଇଁ କାମ କରୁଥିଲେ ଏବଂ ଆତଙ୍କବାଦୀ ମସୁଦ ଆଝାରଙ୍କ ଭାଇ ମୌଲାନା ଅମ୍ମାର ଅଲବି ଓରଫ ମୋହିଉଦ୍ଦିନ ଅମଲଗିର ସାହାରନପୁର-ଫରିଦାବାଦ ଜୈଶ ମଡ୍ୟୁଲର ମାଷ୍ଟରମାଇଣ୍ଡ୍ ହୋଇପାରନ୍ତି। ଆତଙ୍କବାଦୀ ଅମ୍ମାର ଆଲଭିର ଜଣେ ହ୍ୟାଣ୍ଡଲର ଏହି ଡାକ୍ତରମାନଙ୍କ ସହିତ ଯୋଗାଯୋଗ କରିଥିଲେ।

ଆଦିଲ ଅହମ୍ମଦ ଏବଂ ମୁଜାମ୍ମିଲ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନରେ ଥିବା ଜୈଶ-ଏ-ମହମ୍ମଦର ଜଣେ ହ୍ୟାଣ୍ଡଲର ସେମାନଙ୍କ ସହିତ ଯୋଗାଯୋଗ କରିଥିଲେ। ତେବେ ତଦନ୍ତକାରୀ ଟିମ୍ ଏପର୍ଯ୍ୟନ୍ତ ଏହି ହ୍ୟାଣ୍ଡଲରଙ୍କ ନାମ ସେୟାର କରିନାହାଁନ୍ତି । ସୂଚନା ଅନୁଯାୟୀ, ପାକିସ୍ତାନରେ ଥିବା ଜୈଶ ହ୍ୟାଣ୍ଡଲର ସେମାନଙ୍କ ସହିତ ଛଦ୍ମନାମରେ ଯୋଗାଯୋଗ କରିଥିଲେ। ଗିରଫ ହୋଇଥିବା ଉଭୟ ସନ୍ଦିଗ୍ଧ ବ୍ୟକ୍ତି ପ୍ରାରମ୍ଭିକ ସୂଚନା ଦେଇଛନ୍ତି ଯେ ସେମାନଙ୍କୁ ପାକିସ୍ତାନରେ ଥିବା ଜୈଶ-ଏ-ମହମ୍ମଦର ହ୍ୟାଣ୍ଡଲର ବିସ୍ଫୋରକ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଏପର୍ଯ୍ୟନ୍ତ ପଚରାଉଚରା ସମୟରେ, ଡାକ୍ତର ଆଦିଲ ଏବଂ ଡାକ୍ତର ମୁଜାମ୍ମିଲ କୌଣସି ପ୍ରକାରର ଟାର୍ଗେଟ କୁହାଯାଇଥିବା କଥାକୁ ଅସ୍ୱୀକାର କରିଛନ୍ତି।