ଅକ୍ଷୟ ତୃତୀୟାରେ ସୁନା କିଣିଲେ ଶୁଭ । ଏହି ବିଶ୍ୱାସରେ ଦର ଯେତେ ହେଲେ ବି ସୁନା ବୋହି ନେଲେ ଲୋକେ । ଏହି ଅବସରରେ ୧୭୫ କୋଟି ଟଙ୍କାର ସୁନା ବିକ୍ରି ହୋଇଛି । ହେଲେ ଚଳିତ ଥର ସୁନା ଦାମ ଅଧିକ ଥିବାରୁ କମ୍ ଓଜନର ଗହଣା ଘରକୁ ନେଇଛନ୍ତି ଗ୍ରାହକ । ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ଓ ପରିବାରର ମଙ୍ଗଳ ହୁଏ ବୋଲି ବିଶ୍ୱାସ ରହିଛି ।

ସେଥିଲାଗି ରାଜ୍ୟର ବିଭିନ୍ନ ସୁନା ଦୋକାନରେ ଲୋକଙ୍କ ବେଶ ଭିଡ଼ ଜମିଥିଲା । ଚଢ଼ା ଦର ଯୋଗୁଁ କମ ଓଜନରେ ହେଲେ ବି ଲୋକେ ସୁନା କିଣି ଘରକୁ ନେଇଛନ୍ତି । ବିଶେଷ କରି ସୁନା ମୁଦି, ଚେନ, ଶଙ୍ଖା ଓ ହାର ଆଦି କିଣିଛନ୍ତି । ଏବର୍ଷ ବିବାହ ଗହଣା ବିକ୍ରି ପୂର୍ବ ବର୍ଷ ତୁଳନାରେ ୩୦ ପ୍ରତିଶତ କମ ରହିଛି । କିନ୍ତୁ ଜୁଲାଇ ମଧ୍ୟଭାଗ ଯାଏଁ ବିବାହ ଋତୁ ଥିବାରୁ ଆଗାମୀ ଦିନରେ ସେଭଳି ଗହଣା ବିକ୍ରି ବଢ଼ିବ ବୋଲି ସୁନା ବ୍ୟବସାୟୀ ଆଶା ରଖିଛନ୍ତି ।

ଏବେ ୨୨ କ୍ୟାରେଟ ସୁନାର ଦାମ ୮୯ ହଜାର ୭୫୦ ଟଙ୍କା ରହିଛି । ତଥାପି ସୁନା ଦରକୁ ଦେଖବ ଯାହା ଜଣାପଡୁଛି, ଗତବର୍ଷ ତୁଳନାରେ ସୁନା ବିକ୍ରି କମିବ ବୋଲି ଆଶା କରାଯାଉଥିଲା । ହେଲେ ଦର ଅଧିକ ଥିଲେ ସୁଦ୍ଧା ସେପରି କିଛି ଦେଖିବାକୁ ମିଳିନାହିଁ ।