ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୮ ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ଏବଂ ଆପନ୍ନା ପରିଚ୍ଛା ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ  ସଭାଗୃହ ଠାରେ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୮ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ଶାଖାର ପ୍ରାକ୍ତନ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାରସ୍ଵତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମୁଖ୍ୟବକ୍ତା ରୂପେ ଧରାକୋଟ ସରକାରୀ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ.ସୁଜିତ୍ କୁମାର ପଣ୍ଡା , ବିଶିଷ୍ଟ ଅତିଥି ଭାବେ ସହକାରୀ ପ୍ରଫେସର , ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ , ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ବିପ୍ଲବ ରଞ୍ଜନ ପ୍ରଧାନ , ସମ୍ମାନିତ ଅତିଥି ରୂପେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର ଯୋଗଦେଇ ଓଡ଼ିଆ ନାଟ୍ୟଜଗତର ଏକ ଅମ୍ଳାନ ପ୍ରତିଭା ଭାବେ ନାଟ୍ୟକାର ଆପନ୍ନା ପରିଚ୍ଛା ସୁବିଦିତ ।

ଶ୍ରୀ ଶ୍ରୀ ରସିକରାଜ ପ୍ରାସାଦୈକ ସୁଜନ ମନୋରଞ୍ଜନ ନାଟ୍ୟସଂଘ ସେ ଗଠନ କରିଥିଲେ । ଉକ୍ତ ସଂଘ ଦ୍ୱାରା ପ୍ରତିଷ୍ଠିତ ରଙ୍ଗମଞ୍ଚ ପରବର୍ତ୍ତୀ ସମୟରେ ୧୯୦୫ ମସିହାରେ ଓଡ଼ିଶାର ପ୍ରଥମ ସ୍ଥାୟୀ ରଙ୍ଗମଞ୍ଚ ପଦ୍ମନାଭ ରଙ୍ଗାଳୟ ନାମରେ ନାମିତ ହୋଇଥିଲା । ଜାତିର ସ୍ଵାଭିମାନୀ ଆଭିଜାତ୍ୟ ସଂପନ୍ନ ପରିଚ୍ଛା ବଂଶରେ ସେ ଜନ୍ମ ହୋଇ ରସିକରାଜଙ୍କ ଅପାର କରୁଣାରୁ ବହୁ ଘାତପ୍ରତିଘାତ ମଧ୍ୟରେ ସଫଳତାର ଶିଢ଼ି ଚଢ଼ି ସାହିତ୍ୟ ଜଗତକୁ ସ୍ୱରଚିତ ନାଟକ , ବିଜୟ ବସନ୍ତ , ସୀତା ବନବାସ , ନବଲୀଳା ବିଳାସ , ଗୋଷ୍ଠମିଳନ , ମାନଭଞ୍ଜନ, ରାଧାକୃଷ୍ଣ ପ୍ରଣୟ ଆଦି ରଚନା କରି ଏ ସାରସ୍ୱତ ଜଗତକୁ ନିଜର ପରିଚୟତା ପ୍ରଦାନ କରିପାରିଥିଲେ। ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ନାଟକରେ ବିଭିନ୍ନ ଚରିତ୍ର ମାଧ୍ୟମରେ ଉଚ୍ଚନୀଚ , ଧନୀଗରିବ , ଭେଦଭାବ ଓ ଧାର୍ମିକ ଚେତନାକୁ ଅତି ସୂକ୍ଷ୍ମ ଭାବରେ ଦର୍ଶାଇବା ସହିତ ତତ୍କାଳୀନ ସମାଜରେ ଏକ ବୈପ୍ଳବିକ ଚିନ୍ତାଧାରା ଜାଗ୍ରତ କରିବାରେ ସଫଳତା ସେ ଅର୍ଜନ କରିଥିଲେ। ଏକାଧାରରେ ଦେଶଭକ୍ତ , ବିପ୍ଳବୀ , ବିଦ୍ରୋହୀ ଏବଂ ସମାଜ ସଂସ୍କାରକ ଭାବେ ସେ ପରିଗଣିତ ହୋଇପାରିଥିଲେ।