୧୦୦୦ କିମି ଲମ୍ବା ବିଶାଳ ମେଘମାଳା, ଉତ୍ତର ଭାରତରେ ପାଣିପାଗରେ ବଡ଼ ପରିବର୍ତ୍ତନ ସମ୍ଭାବନା

New Delhi: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସାଟେଲାଇଟ୍ ଚିତ୍ରରେ ଏକ ବିରଳ ପାଣିପାଗ ପରିବର୍ତ୍ତନ ଚିହ୍ନଟ ହୋଇଛି। ପ୍ରାୟ ୧୦୦୦ କିଲୋମିଟର ଲମ୍ବା ଏକ ବିଶାଳ ମେଘମାଳା ଭାରତ ଓ ପାକିସ୍ତାନର ବିଶାଳ ଅଞ୍ଚଳକୁ ଆବୃତ କରି ରହିଛି।

ପାଣିପାଗ ବିଜ୍ଞାନୀମାନଙ୍କ କହିବା ଅନୁଯାୟୀ, ଏହା ସାଧାରଣ ବର୍ଷା ନୁହେଁ। ଏହା ଭୂମଧ୍ୟସାଗରୀୟ ଅଞ୍ଚଳରୁ ପୂର୍ବ ଦିଗକୁ ଗତି କରୁଥିବା ଶକ୍ତିଶାଳୀ ପଶ୍ଚିମା ଝଡ଼ର ପରିଣାମ। ଏହି ପ୍ରଣାଳୀ ବାୟୁମଣ୍ଡଳରେ ଅଧିକ ପରିମାଣରେ ଜଳୀୟ ବାଷ୍ପ ସୃଷ୍ଟି କରି ଅସ୍ଥିରତା ବଢ଼ାଇଛି। ଏହାର ପ୍ରଭାବରେ ଆଗାମୀ କିଛି ଦିନ ଭିତରେ ଦକ୍ଷିଣ ଏସିଆରେ, ବିଶେଷ କରି ଭାରତ ଓ ପାକିସ୍ତାନରେ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖାଯିବା ସମ୍ଭାବନା ରହିଛି।

ବର୍ତ୍ତମାନ ଏହି ମେଘମାଳା ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ ସହ ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳ ଉପରେ ରହିଛି। ପାଣିପାଗ ବିଭାଗ ଚେତାବନୀ ଦେଇଛି ଯେ, ଏହାର ପ୍ରଭାବରେ ଉତ୍ତର ଓ ଉତ୍ତର-ପଶ୍ଚିମ ଭାରତରେ ପ୍ରବଳ ବର୍ଷା, ବଜ୍ରପାତ ଓ ଝଡ଼ ବେଗରେ ପବନ ବହିପାରେ। ଏହି ପରିସ୍ଥିତି କୃଷି କାମକାଜରେ ବାଧା ସୃଷ୍ଟି କରିପାରେ ଏବଂ ସହର ଅଞ୍ଚଳର ଦୈନିକ ଜୀବନରେ ମଧ୍ୟ ପ୍ରଭାବ ପକାଇବା ଆଶଙ୍କା ରହିଛି।