ଗତକାଲି ମଙ୍ଗଳବାର ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାରେ ଧରାଲି ଗାଁରେ ଭୟଙ୍କର ବାଦଲଫଟା ବର୍ଷା ଭୟ ଅଧିକ ଧନଜୀବନ କ୍ଷୟକ୍ଷତି ଘଟାଇଛି । ସେଥରେ ଭାରତୀୟ ସେନା ଶିବିର ମଧ୍ୟ ଭଗ୍ନାବଶେଷ ତଳେ ରହିଯାଇଛି । ଯେଉଁଥିରେ ୮ ରୁ ୧୦ ଜଣ ସେନା କର୍ମଚାରୀ ନିଖୋଜ ଥିବା ଜଣାପଡିଛି । ଏହି ଯବାନ ମାନେ ହର୍ଷିଲ ଅଞ୍ଚଳରେ ଥିବା ଏକ କ୍ୟାମ୍ପରେ ଥିଲେ । ଅତ୍ୟଧିକ ବର୍ଷା ଯୋଗୁଁ କ୍ଷୀର ଗଙ୍ଗା ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ହର୍ଷିଲରେ ନିୟୋଜିତ ୧୪ ରାଜରିଫ ୟୁନିଟର ସୈନିକମାନେ ସେମାନଙ୍କ ସହକର୍ମୀଙ୍କ ନିଖୋଜ ସତ୍ତ୍ୱେ ରିଲିଫ୍ ଏବଂ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି। ଘଟଣା ପରେ ତୁରନ୍ତ ସେନା, ଏନଡିଆର୍ଏଫ୍ ଏବଂ ଏସଡିଆର୍ଏଫ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି । ପ୍ରାୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହା ସହିତ ନିଖୋଜ ଥିବା ଲୋକଙ୍କ ସନ୍ଧାନ ଜାରି ରହିଛି। ସେନାର ପ୍ରାୟ ୧୫୦ ଜଣ କର୍ମଚାରୀ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି ।
ଭାରତୀୟ ବାୟୁସେନା ମଧ୍ୟ ଉଦ୍ଧାର କାର୍ୟ୍ୟ ପାଇଁ ପ୍ରସ୍ତୁତ ଅଛି। ସେନାର ସୂଚନା ଅନୁଯାୟୀ, ଦୁଇଜଣ ନିଖୋଜ ଯବାନ ସୁରକ୍ଷିତ ଭାବେ ମିଳିଥିବାବେଳେ ଅନ୍ୟ ୯ ଜଣଙ୍କର ସନ୍ଧାନ ଜାରି ରହିଛି । ଏହି ବିପର୍ୟ୍ୟୟରେ ଅନେକ ସ୍ଥାନୀୟ ଲୋକ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଧରାଲି ଗାଁରେ ଅନେକ ଘର, ହୋଟେଲ ଏବଂ ହୋମଷ୍ଟେ ଭାସିଯାଇଛି । ସେପଟେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ପରିସ୍ଥିତି ଉପରେ ନଜର ରଖି ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।