ନୂଆଦିଲ୍ଲୀ: କଣ ମୁସଲମାନ ନାବାଳିକାଙ୍କ ବିବାହ ୧୫ ବର୍ଷ ବୟସରେ ହୋଇପାରିବ? ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ହାଇକୋର୍ଟଙ୍କର ଭିନ୍ନ ମତ ରହିଛି, ଯାହା ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛି । ଏହି ଭ୍ରମ ଦୂର ପାଇଁ ଆଗେଇ ଆସିଛି ନାସନାଲ କମିଶନ ଫର ଚାଇଲ୍ଡ ପ୍ରୋଟେକ୍ସନ ଅଣ୍ଡ ଚାଇଲ୍ଡ ରାଇଟ୍ସ (ଏନସିପିସିଆର ) । ମଙ୍ଗଳବାର ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଛି । ଏହାକୁ ନେଇ ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି କି, ଏହି ପ୍ରସଙ୍ଗରେ ବିଭିନ୍ନ ହାଇକୋର୍ଟର ଭିନ୍ନ ମତ ରହିଛି । ଯାହାକୁ ନେଇ ଭ୍ରମ ସୃଷ୍ଟି ହେଉଛି । ରାୟକୁ ବିରୋଧ କରି ବିଭିନ୍ନ ହାଇକୋର୍ଟରେ ଅଲଗା ଅଲଗା ଯାଚିକା ଦାଖଲ ହେଉଛି । ଏପରି ସ୍ଥିତିରେ ସର୍ବୋଚ୍ଚ ନ୍ୟାୟାଳୟ ଏଥି ସମ୍ବନ୍ଧିତ ସମସ୍ତ ଯାଚିକାର ଶୁଣାଣି କରି ଏହା ଉପରେ ସ୍ପଷ୍ଟତା ଆଣନ୍ତୁ ବୋଲି କହିଛନ୍ତି ମେହତା । ପ୍ରଧାନ ବିଚାରପତି ମଧ୍ୟ ଶୀଘ୍ର ଶୁଣାଣି କରିବାକୁ ସହମତି ପ୍ରକାଶ କରିଛନ୍ତି ।
କିଛି ଦିନ ପୂର୍ବରୁ ଚଣ୍ଡିଗଡ ହାଇକୋର୍ଟ ମୁସ୍ଲିମ ପର୍ସନଲ ଲ’ର ଦ୍ୱାହି ଦେଇ ୧୫ ବର୍ଷୀୟ ବାଳିକାର ବିବାହକୁ ବୈଧ କହିଥିଲେ । ଚଣ୍ଡିଗଡ ହାଇକୋର୍ଟଙ୍କ ଏହି ରାୟକୁ ରାଷ୍ଟ୍ରୀୟ ମହୀଳା ଆୟୋଗ ଓ ରାଷ୍ଟ୍ରୀୟ ବାଳ ସଂରକ୍ଷଣ ଆୟୋଗ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।ଏହି ମାମଲାରେ ସ୍ପଷ୍ଟତା ଦେବାକୁ ସଲିସିଟର ଜେନେରାଲ ଅନୁରୋଧ କରିଛନ୍ତି । ତେବେ ଆସନ୍ତା ଦୁଇ ତିନି ଦିନ ଭିତରେ ଶୁଣାଣି କରିବାକୁ ସଲିସିଟର ଜେନେରାଲ ଅପିଲ କରିଥିବା ବେଳେ ସିଜେଆଇ କହିଛନ୍ତି ଥରେ ମାମଲା ଠିକ ହେଇଯାଉ, ଶୀଘ୍ର ଶୁଣାଣି ପାଇଁ ତାରିଖ ନିର୍ଦ୍ଧାରଣ କରିବା ।