(ରଜନୀକାନ୍ତ ପାତ୍ର/ହିଞ୍ଜିଳି): କରୋନା ପାଇଁ ସାରା ଦେଶ ଲକଡାଉନ ହୋଇଥିବା ବେଳେ କିଛି ଲୋକେ ମହତ୍ କାର୍ଯ୍ୟ କରି ସୁନାମ ଅର୍ଜନ ପାଇଁ ଚେଷ୍ଟା କରିଥିଲେ । ସେମାନଙ୍କ ମଧ୍ୟରେ ଥିଲା ଗଞ୍ଜାମ ଜିଲ୍ଲା ହିଞ୍ଜିଳିର ନୃତ୍ୟମ ଅନୁଷ୍ଠାନ । ଏହି ଅନୁଷ୍ଠାନ ଲୋକଙ୍କ ମଧ୍ୟରେ କରୋନା ସଚେତନତା ସୃଷ୍ଟି କରିବା ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’ ନିର୍ମାଣ କରିଥିଲା । ପୁର୍ବରୁ ଚଳଚ୍ଚିତ୍ରଟି ଭୋକାଲ ଫର୍ ଲୋକାଲ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଚଳଚ୍ଚିତ୍ରର ପୁରସ୍କାର ପାଇଥିବା ବେଳେ ଇଣ୍ଟରନ୍ୟାସନାଲ ଫିଲ୍ମ ଚ୍ୟାଲେଞ୍ଜ-୨୦୨୦ରେ ଷଷ୍ଠ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଥିଲା । ମାତ୍ର ୬ ମିନିଟର ଏହି ଚଳଚ୍ଚିତ୍ର ‘ଅଭିଳାଷ’ ଏବେ ବେଙ୍ଗାଲ ଲକଡାଉନ ଅନଲାଇନ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଚଳଚ୍ଚିତ୍ରର ଆୱାର୍ଡ ପାଇଛି । ତେବେ କୋଭିଡ ସଚେତନାର ବାର୍ତ୍ତା ବହନ କରୁଥିବା ଏହି ଫିଲ୍ମର ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ପ୍ରଶଂସା କରିଛନ୍ତି । ହିଞ୍ଜିଳି ଭଳି ଛୋଟ ସହରରେ ଥିବା ନୃତ୍ୟମ ଅନୁଷ୍ଠାନ ପକ୍ଷରୁ କୋଭିଡ ସଚେତନତାକୁ ନେଇ ନିର୍ମିତ ଏହି କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ବେଶ କିଛି ଦିନ କଷ୍ଟ କରିବାକୁ ପଡିଥିଲା ବୋଲି କୁହନ୍ତିି ‘ଅଭିଳାଷ’ ଫିଲ୍ଲର କୁନି କଳାକାର ଶିବାଜୀ ଦାସ । ଫିଲ୍ମର ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିବାରୁ ଏଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିଳାଷର ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁ । ଏହା ସହ ରାଜ୍ୟ ସରକାରଙ୍କ ତରଫରୁ ଛୋଟ ଛୋଟ ଅନୁଷ୍ଠାନର କଳାକାରମାନଙ୍କୁ ପ୍ରୋତ୍ସାହନ ମିଳିଲେ ଆଗକୁ ବଢିବାରେ ସୁବିଧା ହେବ ବୋଲି ସେ ମତ ରଖିଛନ୍ତି । ଏନେଇ ଫିଲ୍ମର ଆସିସ୍ଟାଣ୍ଟ ଡାଇରେକ୍ଟର ମଧ୍ୟ ସମାନ ମତ ରଖିଛନ୍ତି । ସେହିପରି ନୃତ୍ୟମ ଅନୁଷ୍ଠାନ ପକ୍ଷରୁ କରୋନା ସଚେତନତାକୁ ନେଇ ଫିଲ୍ମ ନିର୍ମାଣ ଓ ଏହାର ସଫଳତା ତଥା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହେବା ନେଇ ସ୍ଥାନୀୟ ବାସିନ୍ଦା ବେଶ ଖୁସି ଥିବା କହିଛନ୍ତି ।