ଜୋର ସୋରରେ ଚାଲିଛି ମହାପ୍ରଭୁଙ୍କ ରଥକାମ

ପୁରୀ:ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନି ରଥର ପଞ୍ଚ ଦଣ୍ଡାରେ ଆଗ ମୁହାଣ୍ଟ ଓ ପଛ ମୁହାଣ୍ଟ ସଂଯୋଗ ଆରମ୍ଭ ହୋଇଛି। ପଞ୍ଚ ଦଣ୍ଡା ସହ ତାଳଧ୍ଵଜ ରଥ, ନନ୍ଦିଘୋଷ ରଥର ଆଉ ୪ଟି ଲେଖାଏଁ ଦଣ୍ଡା ନିର୍ମାଣ ଶେଷ ହୋଇଛି ଦେବଦଳନ ରଥର ପଞ୍ଚ ଦଣ୍ଡା ସହ ଦୁଇ ପାର୍ଶ୍ଵ ଦଣ୍ଡା ନିର୍ମାଣ ଶେଷ ହୋଇଛି।ଦେବଦଳନ ରଥର ଦୁଇଟି ଗରାରୁ ଗୋଟିଏ ଚଉପଟ ଶେଷ ହୋଇଛି। ତିନି ରଥର ୩ଟି ଲେଖାଏଁ ଢମକର ଚଉପଟ ଆରମ୍ଭ ହୋଇଛି। ତାଳଧ୍ଵଜ ରଥର ପଞ୍ଚଦଣ୍ଡାରେ ଆଗଆଣି ଓ ପଛଆଣି ମୁହାଣ୍ଟ ସଂଯୋଗ ହୋଇଛି । ପଞ୍ଚଦଣ୍ଡା ମୁହାଣ୍ଟ ସହ ଶକ୍ତ ଭାବେ ସଂଯୋଗପାଇଁ ଦଣ୍ଡା ମୁହଁଗୁଡ଼ିକ କଳସା କରାଯାଇଛି ।

ଏହାବାଦ୍ ଆଉ ଦୁଇଟି ଲେଖାଏଁ ପାର୍ଶ୍ଵ ଦଣ୍ଡା ଶେଷ ହୋଇଛି। ତିନି ରଥର ୯ଟି ଦଣ୍ଡା ଶେଷ ହୋଇଛି। ଦୁଇଟି ଗରଗରା ଚଉପଟ ଜାରି ରହିଥିବା ବେଳେ ତିନିଟି ଢମକର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ଦେବଦଳନ ରଥର ପଞ୍ଚ ଦଣ୍ଡାରେ ଆଗ ଓ ପଛ ମୁହାଣ୍ଟସଂଯୋଗ ହେବା ସହ ଆଉ ଦୁଇଟି ପାର୍ଶ୍ଵ ଦଣ୍ଡା ନିର୍ମାଣ ଶେଷ ହୋଇଛି। ଦୁଇଟି ଗରଗରା ଚଉପଟ କାର୍ୟ୍ୟଶେଷ ହୋଇଛି। ଭୋଇ ସେବକମାନେ ଯୋଗାଇ ଦେଇଥିବା ୩ଟି ଢମକରୁ ଦୁଇଟି ଢମକର ଚଉପଟକାର୍ୟ୍ୟ ଆରମ୍ଭ ହୋଇଛି।

ନନ୍ଦିଘୋଷ ରଥର ପଞ୍ଚ ଦଣ୍ଡାରେ ଆଗ ଓ ପଛ ମୁହାଣ୍ଟ ସଂଯୋଗ ପରେ ଆଉ ଦୁଇଟି ପାର୍ଶ୍ଵ ଦଣ୍ଡା ନିର୍ମାଣ ହୋଇଛି। ଦୁଇଟି ଗରଗରା ଚଉପଟ ଜାରି ରହିଛି। ୩ଟି ଢମକରଚଉପଟ ଆରମ୍ଭ ହୋଇଛି। ରୂପକାର ସେବକମାନେ ସାଲଗୁଜରେ ରୂପ ଖୋଦେଇ ପରେ ତୀଖ ଗୁଜ ରେ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦି କମାରଶାଳରେ ଓଝା ସେବକମାନେ ଦଣ୍ଡା କଣ୍ଟା,ଗରଗରା କଣ୍ଟା, ଗୟଳ କଣ୍ଟା ନିର୍ମାଣ ଶେଷ ପରେ ଭୂଇଁ, ଯୋଖା, ଚଣାକ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।