ଯୋଡ଼ା ଟାଟା ଷ୍ଟିଲ ପକ୍ଷରୁ ଆଜି ରନ୍-ଏ-ଥନ୍ ର ଆୟଜନ କରାଯାଇଥିଲା ଟାଟା ଷ୍ଟିଲ ଖେଳ ପଡିଆ ଠାରେ ପ୍ରାୟ ସକାଳ ଛଟା ରେ ଆରମ୍ଭ ହୋଇଥିଲା । ଏହି ଗଣଦୌଡ଼ରେ ଭାଗ ନେଇଥିଲେ ପ୍ରାୟ ୪,୬୦୦ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଏବଂ ଯୋଡ଼ା ପୌରପାଳିକା ଅଧ୍ୟକ୍ଷ ଜଗଦୀଶ କୁମାର ସାହୁ, କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ ଡି. ଡି. ହନୁମନ୍ତ, ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, କୋଇଡା ତହସିଲଦାର ନିର୍ମଳ ବିଶ୍ଵାଳ, ବଡ଼ବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ, ଯୋଡ଼ା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାମଲ, ଟାଟା ଷ୍ଟିଲ ଓଏମକ୍ୟୁ ଡିଭିଜନର ମହାପ୍ରବନ୍ଧକ ଅତୁଲ କୁମାର ଭଟ୍ଟନାଗର ଓ ସୁରଭି ଭଟ୍ଟନାଗର ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଧାବକଧାବିକା ମାନଙ୍କୁ ଉତ୍ସାହିତ କରିବା ପାଇଁ କେନ୍ଦ୍ରୀୟ ଖେଳପଡ଼ିଆଠାରେ ଶତାଧିକ ଜନସଂଖ୍ୟା ଏକତ୍ରିତ ହୋଇଥିଲେ।
୧୦କିମି ପୁରୁଷ ଓ ମହିଳା ବର୍ଗରେ ଉତ୍ତର ପ୍ରଦେଶର ପ୍ରଶାନ୍ତ ଚୌଧୁରୀ ଓ ଝାଡ଼ଖଣ୍ଡର ବାସନ୍ତୀ କୁମାରୀ ଯଥାକ୍ରମେ ବିଜୟୀ ହୋଇଥିବା ବେଳେ ଉତ୍ତର ପ୍ରଦେଶର ଧୀରଜ କୁମାର ଓ ଓଡ଼ିଶାର ବାସନ୍ତୀ ମାଣ୍ଡିଆ ୭କିମି ପୁରୁଷ ଓ ମହିଳା ବର୍ଗରେ ଯଥାକ୍ରମେ ବିଜୟୀ ହୋଇଛନ୍ତି। ସେହିପରି ୫କିମି ବାଳକ ଓ ବାଳିକା ବର୍ଗରେ ଯଥାକ୍ରମେ ଝାଡ଼ଖଣ୍ଡର ଉଦୟ ମେଲଗାଣ୍ଡୀ ଓ ଓଡ଼ିଶାର ମମତା କୁମାରୀ ବିଜୟୀ ହୋଇଛନ୍ତି। ମୁଖ୍ୟତଃ ତିନୋଟି ବର୍ଗରେ (୧୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ୧୦କିମି ଓ ୭କିମି ଏବଂ ୧୬ବର୍ଷରୁ କମ୍ ବୟସ ଲୋକଙ୍କ ପାଇଁ ୫କିମି) ଏହି ଦୌଡ଼ ଆୟୋଜନ କରାଯାଇଥିଲା। ଏଥିସହ ଦିବ୍ୟାଙ୍ଗଜନଙ୍କ ପାଇଁ ୨କିମି ର ଏକ ସ୍ବତନ୍ତ୍ର ଦୌଡ଼ ର ଆୟୋଜନ ମଧ୍ୟ କରାଯାଇଥିଲା ଯେଉଁଥିରେ ଅଞ୍ଚଳର ୮୪ ଜଣ ଦିବ୍ୟାଙ୍ଗ ଭାଗ ନେଇଥିଲେ। ସମସ୍ତ ବର୍ଗ ପାଇଁ ସର୍ବମୋଟ ୫ ଲକ୍ଷ ୬୭ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏକ ସବୁଜ ଭବିଷ୍ୟତ ଓ ଦୀର୍ଘସ୍ଥାୟିତା ପ୍ରତି ନିଜର ପ୍ରତିବଦ୍ଧତା ଦର୍ଶାଇ ସମସ୍ତ ପ୍ରତିଯୋଗୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ଲେଖାଏଁ ଚାରା ରୋପଣ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହା ଯାଇଛି। ଏହି ଅବସରରେ ଯୋଡ଼ା ଟାଉନସିପରୁ ବାହାରୁ ଥିବା ଶୁଖିଲା ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ କରାଯାଇ ପୁନବ୍ୟବହାର ଯୋଗ୍ୟ ଉତ୍ପାଦ ଗୁଡ଼ିକର ଏକ ପ୍ରଦର୍ଶନୀ କରାଯାଇଥିଲା। ଦୌଡ଼ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଜାମସେଦପୁର ରୁ “ରାଇଡ ୱିଥ ପ୍ରାଇଡ” ନାମକ ଏକ ସୁପର୍ ବାଇକର ଗ୍ରୁପ୍ ହାର୍ଲେ ଡେଭିଡସନ୍, ଦୁକାଟି ଓ ବିଏମଡବ୍ଲୁ ପରି ବାଇକ୍ ଧରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।