(ଅଜିତ ସାହୁ/ଜଳେଶ୍ୱର): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖା ନଦୀରେ ଉପୁଜିଛି ବନ୍ୟା ପରିସ୍ଥିତି । ଫଳରେ ଜଳେଶ୍ୱର, ବସ୍ତା, ଭୋଗରାଇ ଓ ବାଲିଆପାଳ ବ୍ଲକର ଏକାଧିକ ପଞ୍ଚାୟତ ପ୍ରଭାବିତ ହୋଇଛି । ଏହି ଚାରୋଟି ବ୍ଲକର ପ୍ରାୟ ୬୦୦ ଲୋକଙ୍କୁ ଉଦ୍ଧାର କରାଯାଇ ଉଚ୍ଚ ସ୍ଥାନରେ ଥିବା ସ୍କୁଲ, ଅଙ୍ଗନବାଡିରେ ରଖାଯାଇଛି । ତେବେ ବାଲିଆପାଳ ବ୍ଲକର ଅସ୍ତି ପଞ୍ଚାୟତର ସୂର୍ଯ୍ୟାପୁର ବିଦ୍ୟାଳୟରେ ଗତକାଲି ଠାରୁ ବନ୍ୟା ବିପନ୍ନଙ୍କୁ ରଖାଯାଇଥିବା ବେଳେ ଖାଇବା ପାଇଁ ସେମାନଙ୍କୁ କେବଳ ଶୁଖିଲା ମୁଢି ସହ ଚିନି ଦିଆଯାଇଛି । ଆଶ୍ରୟ ସ୍ଥଳୀରେ ପାନୀୟ ଜଳର ଅଭାବ ରହିଛି । ଏଯାଏଁ ପ୍ରଶାସନ ପକ୍ଷରୁ ରିଲିଫ କିମ୍ବା ଖାଦ୍ୟ ଯୋଗାଇବା ବ୍ୟବସ୍ଥା ହୋଇପାରିନଥିବା ଅଭିଯୋଗ ହୋଇଛି । ତଳିଆ ଅଞ୍ଚଳରୁ ଉଦ୍ଧାର ହୋଇଥିବା ଲୋକେ ଏଭଳି ଅସୁବିଧା ଭୋଗୁଥିବା ବେଳେ ସ୍ଥାନୀୟ ସରପଞ୍ଚ ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ।