ଭାରତର ଟ୍ୱି-୨୦ ବିଶ୍ବକପ୍ ଚମ୍ପିଆନ ସ୍ବପ୍ନ ଚୁରମାର

India's T20 World Cup champion Dream Churmar

ଆଡିଲେଡ: ଭାରତର ଟ୍ୱି-୨୦ ବିଶ୍ବକପ୍ ଚମ୍ପିଆନ ସ୍ବପ୍ନ ଚୁରମାର । ଟ୍ୱି-୨୦ ବିଶ୍ବକପ ଦ୍ବିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ବୃହତ ବିଜୟ ହାସଲ କରି ଫାଇନାଲ୍ରେ ପହଞ୍ଚିଛି ଇଂଲଣ୍ଡ ଦଳ । ୧୬୯ ରନ୍ ଟାର୍ଗେଟ୍କୁ ମାତ୍ର ୧୬ ଓଭରରେ ହାସଲ କରିଛି ଇଂଲଣ୍ଡ ଦଳ । ଏକ ପାଖିଆ ଭାବରେ ଇଂଲଣ୍ଡ ଦଳ ବିଜୟ ହାସଲ କରିଛି ।ଏହାସହିତ ଟ୍ୱି-୨୦ ବିଶ୍ବକପରେ ଭାରତର ଅଭିଯାନ ଶେଷ ହୋଇଛି । ଭାରତ ୬ ୱିକେଟ ବିନିମୟରେ ୧୬୮ ରନ୍ କରିଥିଲା । ଏହି ଟାର୍ଗେଟ୍ ପିଛା କରିବାକୁ ଓହ୍ଲାଇଥିବା ଇଂଲଣ୍ଡ ଦଳ ଆରମ୍ଭରୁ ଆକ୍ରାମକ ପାଳି ଖେଳିଥିଲା । ଦୁଇ ଓପନର୍ ଜୋଶ ବଟଲର୍ ଓ ଆଲେକ୍ସ ହେଲ୍ସ ଯଥାକ୍ରମେ ୮୦ ଓ ୮୬ ରନ୍ କରି ଟାର୍ଗେଟ୍ ହାସଲ କରିଛନ୍ତି ।

ଫଳରେ ଇଂଲଣ୍ଡ ଦଳ ନଭେମ୍ବର ୧୩ ତାରିଖରେ ମେଲବର୍ଣ୍ଣରେ ପାକିସ୍ତାନ ସହ ଫାଇନାଲ୍ ମ୍ୟାଚ୍ ଖେଳିବ ।ଅନ୍ୟପକ୍ଷରେ ଭାରତ ପକ୍ଷରୁ କୌଣସି ବୋଲର ଆଜି ପ୍ରଭାବଶାଳୀ ହୋଇ ପାରନଥିଲେ । ଫାଷ୍ଟ ବୋଲର ମହମ୍ମଦ ସାମି ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ । ଓଭର ପିଛା ୧୩ ହାରରେ ରନ୍ ଦେଇଛନ୍ତି ସାମି । ସେହିଭଳି ଭୁବନେଶ୍ବର କୁମାର ଦୁଇ ଓଭରରେ ୨୫ ରନ୍ ଦେଇଥିଲେ । ଇଂଲଣ୍ଡ ଓପନରଙ୍କ ଆକ୍ରମଣ ଆଗରେ ଧରାଶାୟୀ ହୋଇଥିଲେ ବୋଲର । ଭାରତ ଗୋଟିଏ ମଧ୍ୟ ୱିକେଟ ନେବାକୁ ସକ୍ଷମ ହୋଇ ପାରନଥିଲା । ଆଜି ଇଂଲଣ୍ଡ ଦଳ ଉଭୟ ବୋଲିଂ, ଫିଲଡିଙ୍ଗ ଓ ବ୍ୟାଟିଂରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା । ଯାହାଫଳରେ ଇଂଲଣ୍ଡ ଫାଇନାଲ୍ରେ ପହଞ୍ଚିଛି ।