ଦୁବାଇ : ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ପୁର୍ବତନ ଟିମ୍ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ହାତେଇଛନ୍ତି । ଆଜି ବିରାଟଙ୍କୁ ଆଇସିସିର ଶ୍ରେଷ୍ଠ ପୁରସ୍କାର ମିଳିଛି । ଚଳିତ ମାସରେ ବିଶ୍ୱର ସମସ୍ତ କ୍ରିକେଟରଙ୍କ ତୁଳନାରେ ବିରାଟଙ୍କ ପ୍ରଦର୍ଶନ ଉଚ୍ଚକୋଟିର ଥିବାରୁ ତାଙ୍କୁ ଏହି ସମ୍ମାନ ମିଳିଛି । ଗତ ମାସରେ ପାକିସ୍ତାନର ମହମ୍ମଦ ରିଜୱାନ ପୁରୁଷ ବର୍ଗରେ ଓ ମହିଳା ବର୍ଗରେ ଭାରତର ହରମନପ୍ରୀତ କୌର ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ । ବିରାଟ ବର୍ତ୍ତମାନ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ସେ ୫ଟି ମ୍ୟାଚ୍ରୁ ୩ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୩ଥର ଅପରାଜିତ ରହିଛନ୍ତି । ଏଥିପାଇଁ ଅକ୍ଟୋବର ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଆଇସିସି ପକ୍ଷରୁ ବିରାଟଙ୍କୁ ମିଳିଛି । ବିରାଟ ତାଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ପ୍ରଥମଥର ପାଇଁ ଆଇସିସି ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି । ବିରାଟଙ୍କ ସହ ଏହି ମାସିକ ପୁରସ୍କାର ପାଇବା ଦୌଡ଼ରେ ଦକ୍ଷିଣ ଆଫ୍ରିକାର ଡାଭିଡ ମିଲିର ଓ ଜିମ୍ବାୱେର ସିକନ୍ଦର ରାଜା ରହିଥିଲେ । ଉଭୟଙ୍କୁ ପଛରେ ପକାଇ ବିରାଟ ଆଇସିସି ପ୍ଲେୟାର ଅଫ ଦି ମନ୍ଥ ସମ୍ମାନ ହାତେଇଛନ୍ତି ।