ବନ୍ୟା ବିପନ୍ନଙ୍କ ସେବାରେ ପ୍ରଣବ

ଯାଜପୁର/ଶିଳାସ୍ମିତା ରାୟ: ଚଳିତ ବର୍ଷ ବୈତରଣୀ ନଦୀ ଯାଜପୁର ପାଇଁ ସାଜିଛି ଦୁଃଖ । ଲଗାଣ ବର୍ଷା ଫଳରେ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଗୁରୁବାର ବରୀ ବ୍ଲକ ଅନ୍ତର୍ଗତ ରିଶିପୁର ଦେଇବିଲି ପଞ୍ଚାୟତରେ ନଦୀ ବନ୍ଧରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଥିଲା । ସେହପରି ଖରାସ୍ରୋତା, ବ୍ରାହ୍ମଣୀ ନଦୀରେ ଯାଜପୁରର ମୋଟ ୨୫ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଫଳରେ ଯାଜପୁର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ତଳି ଅଞ୍ଚଳରେ ନଦୀ ଜଳରେ ଘର ଭୁଶୁଡି ଯିବା ସହ ଅନେକ ଘରେ ପଶିଛି ପାଣି । ଏପରି ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରିବା, ସେମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦେବା କାମରେ ଲାଗିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ । ସରକାରଙ୍କ ପକ୍ଷରୁ ବନ୍ୟା ନେଇ ଘୋଷଣା ହେବା ପୂର୍ବରୁ ହିଁ ପ୍ରଣବ ଯାଜପୁର, ବରି, ଦଶରଥପୁର ଆଦି ଅଞ୍ଚଳ ବୁଲି ସେଠାରେ ନଦୀର ସ୍ଥିତି ଅନୁଧ୍ୟାନ କରିଥିଲେ । ସେ ପ୍ରଶାସନକୁ ସମସ୍ତ ପ୍ରକାରର ପ୍ରତିକୁଳ ସ୍ଥିତି ପାଇଁ ସଜାଗ ରହିବାକୁ ମଧ୍ୟ ଅନୁରୋଧ କରିଥିଲେ । ବର୍ତ୍ତମାନ ବନ୍ୟା ଜଳ ଘେରରେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଥିବାରୁ ପ୍ରଣବ ଦିନ ରାତି ଭୁଲି ବିଭିନ୍ନ ସ୍ଥାନକୁ ବୋଟ ମାଧ୍ୟମରେ ଯାଉଛନ୍ତି । ସେଠାରେ ଲୋକଙ୍କ ସ୍ଥିତି ବୁଝିବା ସହ ଯେଉଁ ଆଶ୍ରୟସ୍ଥଳରେ ଲୋକମାନେ ଅଛନ୍ତି ସେମାନଙ୍କ ଭଲମନ୍ଦ ବୁଝିବା ସହ ଖାଦ୍ୟ ଯୋଗାଇଛନ୍ତି । ପ୍ରଶାସନ ସହ ସର୍ବଦା ଯୋଗାଯୋଗରେ ରହିଛନ୍ତି ପ୍ରଣବ ।

କେବଳ ପ୍ରଣବ ନୁହଁନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲୀକଙ୍କୁ ମଧ୍ୟ ବନ୍ୟା ଅଞ୍ଚଳରେ ୨-୩ ଦିନ ଧରି ଦେଖିବାକୁ ମିଳୁଛି । ସେ ଡଙ୍ଗାରେ ପାଣି ଘେରରେ ଥିବା ଲୋକଙ୍କ ନିକଟକୁ ଯାଉଛନ୍ତି । ବିଭିନ୍ନ ସ୍ଥାନରେ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି । ସେହିପରି ପ୍ରଣବ ବଳବନ୍ତ ରାୟ ମଧ୍ୟ ଧର୍ମଶାଳାରେ ବନ୍ୟା ସ୍ଥିତିକୁ ନେଇ ସମୀକ୍ଷା କରିବା ସହ ପ୍ରଶାସନ ସହ କ୍ଷୟକ୍ଷତିକୁ ନେଇ ଆଲୋଚନା କରୁଛନ୍ତି । କିନ୍ତୁ ଲୋକଙ୍କ ଏହି ସମସ୍ୟା ସମୟରେ ଯାଜପୁରର ଅନ୍ୟ ବିଧାୟକଙ୍କ ଦର୍ଶନ ମିଳୁନାହିଁ । ବରୀ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିଲେ ମଧ୍ୟ ସ୍ଥାନୀୟ ବିଧାୟିକା ସୁନନ୍ଦା ଦାସଙ୍କ ଦେଖା ନାହିଁ ।