ଉହାନ୍: ମାରାତ୍ମକ କରୋନାଭାଇରସ୍ ର ତାଣ୍ଡବରେ ପ୍ରାୟ ୮୦ରୁ ଉର୍ଧ୍ଵ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ପାଖାପାଖି ୨୭୪୪ ଜଣ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ କରିଛି ଚୀନ୍। କେବଳ ହୁବେଇରେ ହିଁ ୨୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେଠାରେ ୭୬୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୧ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଥା ନ୍ୟାସ୍ନାଲ୍ ହେଲ୍ଥ୍ କମିସନ୍ କହିଛି। ଦେଶର ମଧ୍ୟସ୍ଥଳରରେ ଥିବା ହୁବେଇକୁ ଚୀନ୍ ବନ୍ଦ ରଖିଥିବାରୁ ହୁବେଇର ହଜାର ହଜାର ଲୋକ ପରିବହନ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି।
ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ‘ଚାନ୍ଦ୍ର ନବ ବର୍ଷ ଅବକାଶ’କୁ ଫେବ୍ରୁଆରି ୨ ତାରିଖ ଯାଏଁ ବଢ଼ାଇ ଦେବାକୁ ଆଜି ଚୀନ୍ ଘୋଷଣା କରିଛି। ଜାନୁଆରି ୨୪ ତାରିଖରେ ଆରମ୍ଭ ହୋଇଥିବା ଏହି ଛୁଟି ଜାନୁଆରି ୩୦ ତାରିଖରେ ଶେଷ ହେବାରଥିଲା।
ପରବର୍ତ୍ତୀ ବିଜ୍ଞପ୍ତି ନ ମିଳିବା ଯାଏଁ ଦେଶର କୌଣସି ଶିକ୍ଷାନୁଷ୍ଠାନ ସେମିଷ୍ଟର୍ ପରୀକ୍ଷା ଆରମ୍ଭ କରିବେ ନାହିଁ ବୋଲି ସରକାର ନିର୍ଦେଶ ଦେଇଛନ୍ତି। ଚୀନ୍ରେ ବସବାସ କରୁଥିବା କୌଣସି ଭାରତୀୟ ନାଗରିକ ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନ ଥିବା ଗତକାଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂଚନା ଦେଇଛି।